ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡ଼ିଆ ବନ୍ଧୁ, ଅଭିଜିତ ଆୟାର୍ ମିତ୍ରଙ୍କ ଜାମିନ୍ ଖାରଜ

ନୂଆଦିଲ୍ଲୀ :  ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡ଼ିଆ ବନ୍ଧୁ ଅଭିଜିତ ଆୟାର୍ ମିତ୍ର ଗିରଫ ହେବା ଥୟ । ଓଡ଼ିଶାର କଳା, ସଂସ୍କୃତି ଓ ଧର୍ମକୁ ବିଦ୍ରୁପ କରି ସେ ଓଡ଼ିଆଙ୍କୁ ଅପମାନିତ କରିଛନ୍ତି, ଉସୁକାଇଛନ୍ତି । ଆଉ ଯଦି ସେ ତାଙ୍କ ଜୀବନ ପ୍ରତି ବପଦ ଆଶଙ୍କା କରୁଛନ୍ତି, ତେବେ ଜେଲ୍ ହିଁ ଏକମାତ୍ର ସୁରକ୍ଷିତ ସ୍ଥାନ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ, ଅଭିଜିତ ଆୟାର୍ ମିତ୍ରଙ୍କ ଜାମିନ୍ ଖାରଜ କରି ଦେଇଛନ୍ତି । ତେବେ ସେ କୋଣାର୍କ ଥାନାରେ ହାଜର ହେବେ କି ନାହିଁ, ଆସନ୍ତାକାଲି ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ ।

ମହଙ୍ଗା ପଡ଼ିଲା କୋଣାର୍କ ଟେମ୍ପୁଲକୁ ହମ୍ପଲ୍ କହିବା । ଓଡ଼ିଶାର କଳା ସଂସ୍କୃତିକୁ ବିଦ୍ରୁପ କରିବା । ଓଡ଼ିଶା ବିଧାୟକଙ୍କୁ ବୁଦ୍ଦୁ କହିବା ଟ୍ଟ ଏବେ ଗିରଫ ହେବା ଥୟ । ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡ଼ିଆ ବନ୍ଧୁ, ଅଭିଜିତ ଆୟାର୍ ମିତ୍ରଙ୍କ ଜାମିନ୍ ଖାରଜ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଜାମିନ୍ ଖାରଜ କରିଦେଲେ । ଆଉ ସଫା ସଫା ଶୁଣାଇ ଦେଇଛନ୍ତି ଯଦି ଜୀବନ ପ୍ରତି ବିପଦ ଅଛି ବୋଲି ଭାବୁଛ, ତେବେ ଜେଲ୍ ହିଁ ସବୁଠାରୁ ସୁରକ୍ଷିତ ସ୍ଥାନ ।

ଥଟ୍ଟା ମଜାର ଗୋଟେ ସୀମା ଅଛି । କିନ୍ତୁ ଗୋଟେ ଜାତିର କଳା, ସଂସ୍କୃତି ଓ ଧର୍ମୀୟ ଭାବନାକୁ ଆଘାତ ଦେବା କେତେ ଦୂର ସମୀଚିନ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲ ଏବଂ ଜଷ୍ଟିସ୍ କେ. ଏମ୍. ଯୋଶେଫଙ୍କ ୩ ଜଣିଆ ଖଣ୍ଡପୀଠ । ତେବେ ଅଭିଜିତ ଆୟାର୍ ମିତ୍ର, କୋଣାର୍କ ଥାନାରେ ହାଜର ହେବେ କି ନାହିଁ, ତାହା ଉପରେ ଆସନ୍ତାକାଲି କୋର୍ଟ ନିଷ୍ପତ୍ତି ଶୁଣାଇବେ । ଏହି ମାମଲାର ତଦନ୍ତ କରୁଥିବା ବିଧାନସଭା ଗୃହ କମିଟି ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ଏବେ ଜାମିନ୍ ଖାରଜ ପରେ ପୂର୍ବ ସମନ୍ ଅନୁଯାୟୀ, ଅଭିଜିତ୍ ୧୧ ତାରିଖରେ ଗୃହକମିଟି ଆଗରେ ହାଜର ହେବାକୁ ବାଧ୍ୟ ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ ।

ବୈଜୟନ୍ତ ପଣ୍ଡାଙ୍କ ସହ ଆସି ହେଲିକପ୍ଟରରେ ପୁରୀ, କୋଣାର୍କ ଓ ଚିଲିକାର ନିଷିଦ୍ଧାଞ୍ଚଳରେ ବୁଲିଲେ । ପୁଣି ଓଡ଼ିଆଙ୍କ ପରିଚୟ ଶ୍ରୀମନ୍ଦିର ଓ ସୂର‌୍ୟ୍ୟମନ୍ଦିର ଉପରେ ଦେଇଥିଲେ ନିହାତି ଅରୁଚିକର ମନ୍ତବ୍ୟ । ଯାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା । ଗତ ୨୦ ତାରିଖରେ ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍, ତାଙ୍କ ଦିଲ୍ଲୀରୁ ଧରି ନିଜାମୁଦ୍ଦିନ୍ ଥାନାରେ ପଚରା ଉଚରା କରିଥିଲା । ସାକେତ୍ କୋର୍ଟରେ ହାଜର କରାଇ ଟ୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ଚାହିଁଥିଲା ପୋଲିସ୍ । କିନ୍ତୁ ସାକେତ୍ କୋର୍ଟ, ଅଭିଜିତଙ୍କୁ ଗତମାସ ୨୭ ତାରିଖ ଯାଏ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ । ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ କହିଥିଲେ । ପରେ ସୁପ୍ରିମକୋର୍ଟ, ଅକ୍ଟୋବର ୫ ଯାଏଁ ତାଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ୍ ଦେଇଥିଲେ । ତେବେ ଅଭିଜିତ୍ କୋଣାର୍କ ଥାନାରେ ହାଜର ହେବେ କି ନାହିଁ, ତାହା ଉପରେ ଆସନ୍ତାକାଲି ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ ।