୪ ସପ୍ତାହ ମଧ୍ୟରେ ସବରିମାଲା ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସବରିମାଲା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପାଇଁ ଏକ ସ୍ୱତନ୍ତ୍ର ଓ ନୂଆ ଆଇନ୍‌ ପ୍ରଣୟନ କରିବାକୁ ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ ଏହି ଆଇନ୍‌ ପ୍ରଣୟନ କରିବାକୁ ସୁପ୍ରିମ୍‌ କୋର୍ଟ କେରଳ ସରକାରଙ୍କୁ ସମୟ କଣ୍ଟ ଦେଇଛନ୍ତି।

ସବରିମାଲା ମନ୍ଦିର ପ୍ରସଙ୍ଗରେ ନିଜ ଅଧିକାରର ରକ୍ଷା ପାଇଁ ପାଣ୍ଡାଲାମ୍‌ ରାଜ ପରିବାର ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ କରା ଯାଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏଥିପାଇଁ ସୁପ୍ରିମ୍‌ କୋର୍ଟ ପୂର୍ବରୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେରଳ ସରକାର ନୂତନ ଆଇନ୍‌ ପ୍ରଣୟନ ପରିବର୍ତ୍ତେ କେରଳ ସରକାର ଟ୍ରାଭାଙ୍କୋର- କୋଚିନ୍‌ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଆଇନ୍‌ର ସଂଶୋଧନ ନିମନ୍ତେ ଏକ ଚିଠା ପ୍ରସ୍ତାବ ଉପସ୍ଥାପନ କରିଥିବାରୁ ଏହି ମାମଲାର ଶୂଣାଣି କରୁଥିବା ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ଏହା ପର୍ଯ୍ୟାପ୍ତ ନଥିବା ଦର୍ଶାଇ ସବରିମାଲା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପାଇଁ ଏକ ସ୍ବତନ୍ତ୍ର ଓ ନୂଆ ଆଇନ୍‌ ପ୍ରଣୟନ କରିବାକୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ୨୦୨୦ ଜାନୁଆରି ତୃତୀୟ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି।