ନିୟମଗିରି ଡଙ୍ଗରିଆ କନ୍ଧଙ୍କ ଜୀବନଶୈଳୀ ଓ ସଂସ୍କୃତି ସହିତ ଶ୍ରମ ସମବାୟ ଉପରେ ବୃତ୍ତଚିତ୍ର ଓ ଭିଡିଓ

ଆଜି ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌

ଭୁବନେଶ୍ୱର:  ଅନୁସୂଚିତ ଜାନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଅଗଷ୍ଟ ୩୦ ତାରିଖ ରବିବାର ଦିନ ନିୟମଗିରି ଡଙ୍ଗରିଆ କନ୍ଧଙ୍କ ଜୀବନଶୈଳୀ, ସଂସ୍କୃତି ଏବଂ ନିଜସ୍ୱ ଜ୍ଞାନକୌଶଳ ଉପରେ ବୃତ୍ତଚିତ୍ର ଓ ଭିଡିଓକୁ ଦର୍ଶକମାନେ ଘରେ ବସି ଉପଭୋଗ କରିପାରିବେ ।

sc and st

କନ୍ଧ ଜନଜାତିଙ୍କର ଏକ ପ୍ରଭାଗ ହେଉଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ । ଡଙ୍ଗରିଆ କନ୍ଧମାନେ ମୁଖ୍ୟତଃ ରାୟଗଡା ଜିଲ୍ଲାର ପୂର୍ବ ଭାଗରେ ଥିବା ଘାଟରେ ବସବାସ କରିଥାନ୍ତି । ସେମାନଙ୍କର ଭାଷା ଦ୍ରାବିଡ । ଏମ୍ବ୍ରଡରି, କାଠ କାମ, ସାଜସଜ୍ଜା, କାନ୍ଥରେ ପେଣ୍ଟିଂ, ପାନିଆ ତିଆରି ସହିତ ସପୁରୀଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ସିପଫିଂ କଲ୍‌ଟିଭେସନରେ ସେମାନେ ବେଶ୍‌ ପ୍ରବୀଣ । ହଳଦୀ ଓ କଦଳୀ ଚାଷରେ ମଧ୍ୟ ସେମାନେ ଧୂରନ୍ଧର । ଝରଣା କୂଳରେ ବାସବାସ କରୁଥିବାରୁ ସେମାନେ ନିଜକୁ ‘ଝରଣିଆ’ କହିଥାନ୍ତି । ନିୟମରାଜାଙ୍କ ବଂଶଧର ଭାବେ ନିଜକୁ ବିଶ୍ୱାସ କରିଥାନ୍ତି ।

ଡଙ୍ଗରିଆ କନ୍ଧ ଜନଜାତିଙ୍କର ନିଜସ୍ୱ ଜ୍ଞାନ କୌଶଳ ହେଉଛି ଶ୍ରମ ସମବାୟ । ସାମାଜିକ ସମାନତା ଏହି ଜନଜାତି ସମ୍ପ୍ରଦାୟର ମୁଖ୍ୟ ଲକ୍ଷଣ । ଜନ୍ମରୁ ପାହାଡି ଚାଷରେ ଶ୍ରମ ଦାନ କରୁଥିବା ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ଗ୍ରାମ ଶ୍ରମ ସମବାୟ ଜ୍ଞାତିସମ୍ପର୍କ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପରିବାରରେ ଥିବା ଆର୍ଥିକ ବୋଝ ହ୍ରାସ କରିଥାଏ । ଏହି ସମବାୟ ଜନଜାତି ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କର ମର୍ଯ୍ୟାଦା ବୃଦ୍ଧି କରିଥାଏ । ଏହି ସମବାୟ ମାଧ୍ୟମରେ ପ୍ରାପ୍ତ ବୟସ୍କ ବାଳକବାଳିକାମାନେ ପୁରୁଷ, ମହିଳା ଓ ବୟସ୍କମାନେ ସେମାନଙ୍କର ନିଜର ଶ୍ରମର ମୂଲ୍ୟକୁ ସମାନ ଭାବେ ସମବାୟକୁ ଦେଇଥାନ୍ତି । ସେମାନେ ମୁଖ୍ୟତଃ ଗ୍ରାମ୍ୟକ୍ଷେତ, ଉଦ୍ୟାନରୁ ଶ୍ରମର ମୂଲ୍ୟ ପାଇଥାନ୍ତି । ଆଜିର ଏହି ବୃତ୍ତଚିତ୍ରରେ ଡଙ୍ଗରିଆ କନ୍ଧମାନଙ୍କର ଶ୍ରମ ସମବାୟ ସମ୍ପର୍କରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । ଏହି ସମବାୟର ଗଠନ ପ୍ରଣାଳୀ, ସଂଗଠନ ଓ କାର୍ଯ୍ୟକଳାପ, ସମୟକ୍ରମେ କିଭଳି ଏହି  ସମବାୟର ପରିବର୍ତ୍ତନ ହେଉଛି ଏବଂ ଆଜିକାଲି କିଭଳି ଏହି ଜନଜାତି ସମ୍ପ୍ରଦାୟ ପାଇଁ ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିଛି ତାହା ଏହି ବୃତ୍ତଚିତ୍ରରେ ସ୍ପଷ୍ଟଭାବେ ପ୍ରତିଫଳିତ ହୋଇଛି ।

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନେ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ @scstrti H @stscdev ପେଜ୍‌ ଖୋଲି ଭର୍ଚୁଆଲ୍‌ ଟୁରରେ ବିବିଧ ଜନଜାତିଙ୍କର ଜୀବନଶୈଳୀ, ସଂସ୍କୃତି ଆଦି ସମ୍ପର୍କରେ ଜାଣିପାରିବେ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।