ଶାହିନବାଗରେ ସିଏଏର ମାମଲା: ମାର୍ଚ୍ଚ ୨୩ରେ ପରବର୍ତୀ ଶୁଣାଣି

ନୂଆଦିଲ୍ଲୀ: ଘୁଂଚିଲା ଶାହିନବାଗ ଶୁଣାଣି । ଶୁଣାଣି ପାଇଁ ପରିସ୍ଥିତି ଠିକ୍ ନଥିବାରୁ ଏହାର ପରବର୍ତୀ ଶୁଣାଣି ମାର୍ଚ୍ଚ ୨୩ରେ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଜି ଏହାର ଶୁଣାଣି ସମୟରେ ରାସ୍ତା ଅନିର୍ଦ୍ଦିଷ୍ଟକାଳ ବିରୋଧ ପ୍ରଦର୍ଶନ ପାଇଁ ନୁହେଁ ବୋଲି କହିବା ସହ ଆଗାମୀ ୨୩ ତାରିଖରେ ପରବର୍ତୀ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।

ଦିଲ୍ଲୀର ଶାହିନବାଗ ଅଂଚଳରୁ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ପ୍ରଦର୍ଶନକାରୀଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ସୋମବାର ନିଜ ରିପୋର୍ଟ ସିଲବନ୍ଦ ଲଫାପାରେ ଦାଖଲ କରିଥିଲେ ।

ମଧ୍ୟସ୍ଥି ଭାବରେ ନିଯୁକ୍ତ ହୋଇଥିବା ଓକିଲ ସାଧନା ରାମଚନ୍ଦ୍ରନ, ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେଙ୍କ ସହ ଶାହିନବାଗ ଯାଇ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନିଜ ରିପୋର୍ଟ ଜଷ୍ଟିସ ଏସ.କେ ପାଲ ଏବଂ ଜଷ୍ଟିସ କେ.ଏମ ଜୋଶେଫଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ ।

ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ଗତ ଡିସେମ୍ବର ୧୫ ତାରିଖରୁ ଶାହିନବାଗରେ ପ୍ରଦର୍ଶନ ଜାରି ରହିଛି । ଯାହା ଫଳରେ ଦିଲ୍ଲୀ-ନୋଏଡା ରାସ୍ତା ବନ୍ଦ ରହିଛି । ତେବେ ଶାହିନବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ ଏବଂ ରାସ୍ତା ଖାଲି କରିବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଖଲ ହୋଇଥିଲା । ତେବେ ଏହାର ଶୁଣାଣି କରି ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତି କରିଥିଲେ ।