ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ଏସବିଆଇ : ଋଣ ପରିଶୋଧ ପାଇଁ ମିଳିବ ଦୁଇ ବର୍ଷର ଅତିରିକ୍ତ ସମୟ

ନୂଆଦିଲ୍ଲୀ: ଋଣ କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଏସବିଆଇ । ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଶୋଧ ପାଇଁ ଏଣିକିି ଅତିରିକ୍ତ ୨ ବର୍ଷ ସମୟ ପାଇବେ । କରୋନା ମହାମାରୀ ଦ୍ୱାରା ରୋଜଗାର ପ୍ରଭାବିତ ହୋଇଥିଲେ ଏହି ରିହାତି ପାଇପାରିବେ ଏସବିଆଇ ଉପଭୋକ୍ତା । ଏଥିପାଇଁ ୨୪ ମାସର ମୋରାଟରିୟମ ଦିଆଯାଇଛି, ଅର୍ଥାତ ରୁଣ ପରିଶୋଧର ସମୟ ସୀମାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି । ତେଣୁ ଆପଣ ନେଇଥିବା ଋଣର ପରିଶୋଧ ଅବଧି ଯାହା ଥିବ, ଏଥିରେ ଆଉ ଦୁଇବର୍ଷ ସମୟ କୋହଳ କରାଯିବ । ଯଦି ମାର୍ଚ୍ଚ ୧ ପୂର୍ବରୁ ଆପଣ ଋଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ଏହି ଋଣ ସୁଝିବାର ଥିବ ତେବେ ଆପଣ ଚାହିଁଲେ ଏହାକୁ ୭ବର୍ଷରେ ଶୁଝି ପାରିବେ ।

କିନ୍ତୁ ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୩୫ ବେସିସ ପଏଣ୍ଟ ଅର୍ଥାତ ଶୂନ ଦଶମିକ ୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ । ହେଲେ କରୋନା ମହାମାରୀ ପ୍ରଭାବରେ ଅନେକ ଚାକିରି ହରାଇବା ସହ ଦରମା କାଟ୍ ର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଷ୍ଟେଟବ୍ୟାଙ୍କର ଏହି ରିହାତି ବଡ ଆଶ୍ୱସ୍ତି ହୋଇପାରେ । ଏହି ସେବା ନେବା ପାଇଁ ଆପଣଙ୍କୁ ଚାକିରି ହରାଇଥିବା କିମ୍ବା ଦରମା କାଟ୍ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ଋଣ କରିଥିବା ବ୍ୟଙ୍କ ନିକଟରେ ଦାଖଲ କରିବାକୁ ପଡିବ ।