ଭୁବନେଶ୍ବର : ସାରା ରାଜ୍ୟରେ ସପ୍ତାହନ୍ତ ସଟ୍ଡାଉନ୍ । ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର । ମେ ୧୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ସପ୍ତାହନ୍ତ ସଟ୍ଡାଉନ୍ । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେଉଥିବାରୁ ସଂକ୍ରମଣ କମାଇବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ସହିତ ୩୦ଟି ଯାକ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକ ସେବାକୁ ସଟ୍ଡାଉନ୍ ନିୟମରୁ ବାଦ ଦିଆଯାଇଛି ।
ଏସଆରସିଙ୍କ ଘୋଷଣା ମୁତାବକ ସଟଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏଥିସହ ଜରୁରୀ ସେବା ଯୋଗାଉଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ। ସ୍ବାସ୍ଥ୍ୟସେବା, ବିଦ୍ୟୁତ ସେବା, ଜଳଯୋଗାଣ, ପରିମଳ, ଏଲପିଜି ଯୋଗାଣ, ମାଲ ପରିବହନ, ଜରୁରୀ ପରିବହନ, ବ୍ୟାଙ୍କ ଏଟିଏମ୍, ଔଷଧ ଦୋକାନ ଏବଂ ଗଣମାଧ୍ୟମ ଆଦି ସଂସ୍ଥା ସଟଡାଉନ୍ ସମୟରେ କାର୍ଯ୍ୟ କରିବ। ତେବେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ବତନ୍ତ୍ର ପାସ ମିଳିବ ନାହିଁ, ସେମାନେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରିବେ।
ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ଏସଆରସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ହେଲେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି।
ସେହିପରି ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି । ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କୁମ୍ଭ ମେଳାରୁ ରାଜ୍ୟକୁ ଫେରିଥିବା ଯାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯାଇଛି । ସମସ୍ତଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ୧୪ ଦିନିଆ ହୋମ କ୍ବାରେଣ୍ଟାଇନ୍ରେ ରହିବାକୁ ନିର୍ଦେଶ ଜାରି କରାଯାଇଛି । ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାନ୍ତୁ ଏବଂ କରୋନା ପରୀକ୍ଷା କରାବାକୁ କୁହାଯାଇଛି । କେବେ ଫେରିଛନ୍ତି ଏବଂ କେଉଁଠାରେ ସଂଘରୋଧରେ ରହିଛନ୍ତି ତାହା ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି ।
saturday and sunday will shutdown in odisha due to covid