ପାଟଣାଗଡ ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ପୂର୍ତ୍ତବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି। ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଏହା ସହିତ ତଦନ୍ତରେ ସାହାଯ୍ୟ କରିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ କୋର୍ଟ। ସତ୍ୟପାଠ ଦାଖଲ ପାଇଁ ସେହିଦିନ ଉଭୟ ଜେଇ ଏବଂ ତାଙ୍କ ପତ୍ନୀ ସମୟ ମାଗିଥିଲେ। ଏହା ପରେ ବିଧାୟକଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା।

ସେହିଭଳି ସେଦିନ ଓକିଲଙ୍କ ଆନ୍ଦୋଳନ ଯୋଗୁ ବିଧାୟକ ଓ ତାଙ୍କ ପ୍ରତିପକ୍ଷ ନିଜେ ମାମଲା ଲଢ଼ିଥିଲେ। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଭୁବନେଶ୍ୱରରେ ସ୍ପେଶିଆଲ ଜଜ୍ ନିଯୁକ୍ତ କରାଯାଇଛି। ତେଣୁ ଏହି ମାମଲା ପାଟଣାଗଡ଼ ଏଡିଜେ କୋର୍ଟରୁ ଏଠାକୁ ସ୍ଥାନାନ୍ତର ହୋଇଛି।