ଭାବି ଶଶୁର ଜ୍ୱାଇଁ ଠକେଇ ମାମଲା : ଝାରପଡ଼ା ଜେଲ ଗଲେ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ

ଭୁବନେଶ୍ୱର: ଜେଲ୍‌ ଗଲେ ଭାବି ଶଶୁର ଜ୍ୱାଇଁ ଠକେଇ ମାମଲା ମିଡିଲ୍‌ ମ୍ୟାନ୍‌ ଭି. ସର୍ବେଶ୍ୱର ରାଓ । ଟାଟା ମୋଟର୍ସ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସର୍ବେଶ୍ୱର ଜେଲ ଯାଇଛନ୍ତି। ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ।

sarbeswar rao arrest in gopalpur mla pradeep panigrahi ford case

ପ୍ରଦୀପ ପାଣିଗ୍ରାହୀଙ୍କ ପାଖ ଲୋକ ଥିଲେ ପ୍ରଫେସର ସର୍ବେଶ୍ୱର ରାଓ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ୍‌ଙ୍କ ଠକେଇ ମାମଲାରେ ସର୍ବେଶ୍ୱରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ପୋଲିସ ସୁରାକ୍‌ ପାଇବା ପରେ ତାଙ୍କୁ ଗିରଫ କରିଥିଲା । ପରେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ନିଜ ହେଫାଜତକୁ ନେଇ ବୁଧବାରଠାରୁ ମାରାଥନ ଜେରା କରିଥିଲା । ଜେରା ବେଳେ ଠକେଇରେ ତାଙ୍କର ସିଧା ସଳଖ ସମ୍ପୃକ୍ତି ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱରଙ୍କୁ ମୁହାଁମୁହିଁ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଆକାଶଙ୍କ ପିଏ ଡେଭିଡ୍‌ ପିଟରଙ୍କୁ ଜେରା ପରେ ସର୍ବେଶ୍ୱରଙ୍କ ନାଁ ସାମ୍ନାକୁ ଆସିଥିଲା । ନିଯୁକ୍ତି ଜାଲିଆତି କାରବାରରେ ସର୍ବେଶ୍ୱରଙ୍କ ଥିଲା ମୁଖ୍ୟ ଭୂମିକା । ମିଛ ନିଯୁକ୍ତି ପାଇଁ ଫାଶ ପକାଉଥିଲେ ସର୍ବେଶ୍ୱର ।