ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର: ପୁଣିଥରେ ବଢ଼ିଲା ସର୍ବକ୍ଷମା ଅବଧି । ଲୋକଙ୍କ ଭିଡ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ୧୫ଦିନ ପାଇଁ ଏହି ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ପୂର୍ବରୁ ଫେବ୍ରୁଆରି ୫ ତାରିଖକୁ ଡେଡଲାଇନ୍ ଘୋଷଣା କରାଯାଇଥିଲା । ଶେଷ ମୁହୁର୍ତ ରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି । ଲୋକଙ୍କ ଭିଡ଼ ଓ ଆଗ୍ରହ ଦେଖି ଜନସାଧାରଣଙ୍କ ସୁବିଧା ପାଇଁ ସର୍ବକ୍ଷମା ଅବଧି ବୃଦ୍ଧି ହୋଇଛି ।  କିନ୍ତୁ ଏହି ଅବଧି ବଢିବାର ୧୫ ଦିନ ପରେ ଆଉ ବେଆଇନ୍ ନିର୍ମାଣକାରୀଙ୍କୁ ମହଲତ ମିଳିବନି । ଅବଧି ସମୟ ବୃଦ୍ଧି ପରେ ଫେବ୍ରୁଆରୀ ୨୦ ତାରିଖ ସର୍ବକ୍ଷମା ଯୋଜନାର ନୂଆ ଡେଡଲାଇନ୍ ସ୍ଥିର ହୋଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ଆଉ ସର୍ବକ୍ଷମା ଅବଧି ବୃଦ୍ଧି କରାଯିବନି । ଯେଉଁମାନେ ବେଆଇନ୍ ଭାବେ ନିର୍ମାଣ କରିଥିବା ଉଚ୍ଚ ଅଟ୍ଟାଳିକାଧାରୀ ସର୍ବକ୍ଷମାରେ ଆବେଦନ କରିନଥିବେ ତାଙ୍କ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

୨୦୧୮ ଜୁନରେ ପ୍ରଥମେ ସର୍ବକ୍ଷମା ଯୋଜନା ଆସିଥିଲା । ରାଜ୍ୟର ୯ ଟି ସହର ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର-ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର, କଳିଙ୍ଗ ନଗର, ପାରାଦୀପ ଏବଂ ପୁରୀ, କୋଣାର୍କ ଡେଭଲପମେଂଟ ଅଥରିଟୀରେ ଏହି ସର୍ବକ୍ଷମା ଯୋଜନା ଲାଗୁ ହେଉଛି । ଏହି ସମୟ ମଧ୍ୟରେ ଅବୈଧ ନିର୍ମାଣକୁ ନିର୍ଦ୍ଧାରିତ ଜରିମାନା ଦେଇ ବୈଧ କରାଯାଇପାରିବ ।