ଜେଲରୁ ମୁକୁଳିଲେ ବାବା ସାରଥୀ, ଜାଣନ୍ତୁ କାହାକୁ କଲେ ପ୍ରଥମ ପ୍ରଣାମ

କଟକ   : ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ଜେଲର ରହିବାର ଦୀର୍ଘ ୪ ବର୍ଷ ପରେ ଆଜି ସେ ମୁକୁଳିଛନ୍ତି। ଚୌଦ୍ୱାର ଜେଲରୁ ମୁକୁଳିଥିବା ସାରଥୀଙ୍କୁ କଡ଼ା ସୁରକ୍ଷା ବଳୟରେ ପୁଲିସ ରଖିଛି। ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା।  ସେଠାରୁ ଚୌଦ୍ୱାରଜେଲକୁ ରିଲିଜ ଅର୍ଡର୍ ଯାଇଥିଲା। ଏହି ଅର୍ଡ଼ର ଆସିବା ପରେ ଜେଲରୁ ବାହାରିଛନ୍ତି ସାରଥି ।

(ଫାଇଲ ଫଟୋ )

୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସାରଥୀଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଏପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ।

ଜେଲରୁ ମୁକୁଳିବା ଲାଗି ଗୁରୁବାର ତାଙ୍କର ଜାମିନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦଶାନୁସାରେ ନିମ୍ନ ଅଦାଲତ ଅର୍ଥାତ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ସାରଥିଙ୍କ ବେଲ ବଣ୍ଡ ଦାଖଲ କରାଯାଇଥିଲା। କୋର୍ଟରେ ୨ ଜଣ ପରିଚିତ ମିଶ୍ର ଓ ପ୍ରଶାନ୍ତ କୁମାର ଦାସ ଜାମିନଦାର ପଡିଥିବା ବେଳେ ୨ଲକ୍ଷ ଟଙ୍କା ମୂଲ୍ୟର ଭୂସମ୍ପତ୍ତି  କାଗଜପତ୍ର ଦାଖଲ ହୋଇଥିଲା।   ତେବେ ଏସଡିଜେଏମଙ୍କ କୋର୍ଟ ଜାମିନ ମଞ୍ଜୁର କରିବା ପୂର୍ବରୁ ସାରଥିଙ୍କ ଲାଗି ପାଇଁ ପୁଣି ସର୍ତ୍ତ ନିର୍ଦ୍ଧାରଣ କରିଥିଲେ।

ଏଥିରେ କୋର୍ଟ ମାମଲା ନସରିବା ପର୍ଯ୍ୟନ୍ତ ସାରଥିଙ୍କୁ ବିନାନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି। ତେବେ ଜେଲରୁ ବାହାରକୁ ଆସି ସାରଥୀ ପ୍ରଥମେ ଜେଲ ଫାଟକକୁ ନମସ୍କାର କରିଥିବା ଦେଖାଯାଇଥିଲା।

୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ସାରଥିଙ୍କୁ ୩ଟି ମାମଲାରେ ଗିରଫ କରାଯାଇଥିଲା । ଦୁଇଟି ମାମଲାରେ ପୂର୍ବରୁ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତୃତୀୟ ମାମଲାରେ ଗତ ସୋମବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସାରଥିଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମର ଜଣେ ଅନ୍ତେବାସିନୀ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।