ଆଜି ଶ୍ରୀପଞ୍ଚମୀ, ମା’ସରସ୍ୱତୀଙ୍କ ପୂଜା

ଭୁବନେଶ୍ୱର : ଆଜି ମା’ସରସ୍ୱତୀଙ୍କ ପୂଜା । ବିଦ୍ୟାଦାତ୍ରୀ ମା’ଙ୍କ ଆରାଧାନର ଦିନ । ସବୁ ଠି ମାଙ୍କ ଆରାଧନା ଆରମ୍ଭ ହୋଇଛି । ଧରାବତରଣ କରିଛନ୍ତି ବୀଣା, ପୁସ୍ତକ ଧାରିଣୀ ମା’ ସରସ୍ୱତୀ । ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀମାନେ ମା’ସରସ୍ୱତୀଙ୍କ ପୂଜା କରି ବିଦ୍ୟା ବୁଦ୍ଧି କାମନା କରିଛନ୍ତି ।

ପବିତ୍ର ଶ୍ରୀପଞ୍ଚମୀରେ ଧରାବତରଣ କରିବେ ମା’ସରସ୍ୱତୀ । ସରସ୍ଵତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ, ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି । ତେବେ ଆଜିର ଦିନରେ ସରସ୍ୱତୀ ସବୁସ୍ଥାନରେ ପୂଜା କରାଯାଇଥାଏ । ପ୍ରତ୍ୟେକ ସ୍କୁଲ ତଥା ବିଦ୍ୟାଳୟରେ ଆଜି ପୂଜା ପାଇଥାନ୍ତି ଦେବୀ ସରସ୍ୱତୀ ।
ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ, ବରଦା ଇତ୍ୟାଦି ।