ଓସିଏ ସଂପାଦକ ହେଲେ ସଞ୍ଜୟ ବେହେରା

କଟକ:ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷିତ ହୋଇଛି। ସଞ୍ଜୟ ବେହେରା ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ମେହତାବ ଖା ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ତେବେ ବିଜୟ ନେଇ ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

ସୂଚନା ଅନୁଯାୟୀ ମୋଟ୍ ୭୩ଟି ଭୋଟରୁ ସଞ୍ଜୟଙ୍କୁ ୪୫ଟି ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ନବ ପଟ୍ଟନାୟକଙ୍କୁ ୨୫ଟି ଭୋଟ୍ ମିଳିଛି। ଶୁକ୍ରବାର ସକାଳ ସାଢ଼େ ୧୧ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍ ପର୍ଯ୍ୟାୟ ଅପରାହ୍ଣ ୨ଟା ବେଳେ ଶେଷ ହୋଇଥିଲା। ଓସିଏ ସଂପାଦକ ଭାବେ ନିର୍ବାଚିତ ହେବା ପରେ ସଞ୍ଜୟ ନିଜର ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ଯେ ବାରବାଟୀ ଷ୍ଟାଡିୟମର ପୂର୍ବ ଗୌରବକୁ ଫେରାଇ ଆଣିବା ଏବଂ ଓଡ଼ିଶାରେ କ୍ରିକେଟ୍ ଖେଳର ବିକାଶ ଦିଗରେ କାମ କରିବି। ଏନେଇ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ସମସ୍ତଙ୍କୁ ନେଇ କାମ କରିବେ ବୋଲି ସଞ୍ଜୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି  ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ମତଦାନ ହୋଇଥିଲା। ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ । ଏଥିପାଇଁ ସେପ୍ଟେମ୍ବର ୨୦ରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା ।  ଓସିଏରେ ମୋଟ ୭୩ ଜଣ ଭୋଟର ରହିଛନ୍ତି।