ପ୍ରଥମ କରି ଯାଜପୁର ବସଷ୍ଟାଣ୍ଡରେ ସାନିଟାଇଜେସନ୍ ବ୍ୟବସ୍ଥା

ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସୂଚନା ଦିଆଯାଉଥିବାବେଳେ ଯାଜପୁର ବସଷ୍ଟାଣ୍ଡରେ ପ୍ରଥମ କରି ଘରୋଇ ବସଷ୍ଟାଣ୍ଡରେ ସାନିଟାଇଜେସନ୍ ବ୍ୟବସ୍ଥା ହାତକୁ ନିଆଯାଇଛି ।

ରାଜ୍ୟର ପ୍ରଥମ ଘରୋଇ ବସଷ୍ଟାଣ୍ଡ ଭାବେ ଆଜି ସକାଳୁ ଏଠାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ସବୁ ବସକୁ ସାନିଟାଇଜେସନ କରାଯିବା ସହ ଯାତ୍ରୀମାନଙ୍କୁ ମଧ୍ୟ ସାନିଟାଇଜ୍‌ କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ମା’ବିରଜା ଟ୍ରେଡର୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ୫ ଜଣିଆ ଟିମ୍‌ ଆସି କାର୍ଯ୍ୟରେ ଲାଗିଛନ୍ତି । ଏଥିସହ ଛୋଟବଡ଼ ଯାତ୍ରୀବାହୀ ଗାଡ଼ିଗୁଡିକୁ ମଧ୍ୟ ସାନିଟାଇଜେସନ୍‌ କରିବା ସହ ଯାତ୍ରୀମାନଙ୍କୁ ବାରମ୍ବାର ହାତ ଧୋଇବାକୁ ସୂଚନା ଦିଆଯିବା ସହ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ ବସଷ୍ଟାଣ୍ଡରେ କାର୍ଯ୍ୟକାରୀ କରିବାକୁ  ଅନୁରୋଧ କରାଯାଉଛି।

ଏହାପୂର୍ବରୁ ଯାଜପୁରରେ କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତି ନେଇଛନ୍ତି। ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନ ଯାତ୍ରାକୁ ପ୍ରଶାସନ ରଦ୍ଦ କରିଛି । ସଂପୃକ୍ତ ଅଂଚଳରେ ୧୪୪ ଧାରା ପ୍ରଶାସନ ଜାରି କରିଥିବା ବେଳେ ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତର ରହିଛି। ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଯାଜପୁରରେ ମା’ ବିରଜାଙ୍କ ମନ୍ଦିର ରହିଥିବାରୁ ଦୈନିକ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ ଗାଡ଼ିକୁ କୁଆଖିଆ ଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତି ନେଇଛନ୍ତି।