ବିଜେପୁର :ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପୁର ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନରେ ବିଜୟୀ ହୋଇ ନିଜର ଦବଦବା ଜାହିର କରିବାକୁ ଚାହୁଁଛନ୍ତି। ତେବେ ଆଜି ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ଏହି ମଧ୍ୟରେ ବିଜେପି ପ୍ରାର୍ଥୀ ସନତ ଗଡତିଆ, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ଓ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନ ଦାଖଲ କରିଛନ୍ତି। ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ସେମାନେ ନାମାଙ୍କନ ଦାଖଲ କରିଛନ୍ତି।
ଅକ୍ଟୋବର ୨୧ ଉପନିର୍ବାଚନ ପାଇଁ ବିଜେପୁର ରଣକ୍ଷେତ୍ର ସଜବାଜ ହେଲାଣି। ଏହି ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଆଜି କଂଗ୍ରେସରୁ ଦିଲୀପ ପଣ୍ଡା ପ୍ରଥମେ ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ତାଙ୍କପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଓ ସର୍ବଶେଷରେ ବିଜେପି ପ୍ରାର୍ଥୀ ସନତ ଗଡତିଆ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ପଟୁଆର ଧରି କାର୍ଯ୍ୟାଳୟରେ ପହଁଚିଥିଲେ ଓ ଏହାପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ବହୁ ଚର୍ଚ୍ଚିତ ବିଜେପୁର ଆସନରେ ଏବେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ଆସନ୍ତା ୨୧ ତାରିଖରେ ଏହି ଆସନରେ ମତଦାନ ହେବା ସହ ୨୪ରେ ଭୋଟ ଗଣତି ହେବ ।