ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ: ଅନୁପସ୍ଥିତ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ

ଭୁବନେଶ୍ଵର :ପଦାରେ ପଡିଛି ସରକାରୀ ବିଦ୍ୟାଳୟର ବାସ୍ତବ ଚିତ୍ର। ଆକ୍ସନ ମୁଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ୬ଟି ସ୍କୁଲ ଅଚାନକ ପରିଦର୍ଶନରେ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ୬ଟି ସ୍କୁଲ ମଧ୍ୟରୁ ୪ଟି ସ୍କୁଲର ସ୍ଥିତି ବିଚିତ୍ର ଥିଲା। କେଉଁଠାରେ ୧୦ଟା ୪୦ ସୁଦ୍ଧା ଶିକ୍ଷକ ପହଁଚି ନଥିଲେ ତ କେଉଁଠାରେ ପ୍ରଧାନ ଶିକ୍ଷକ ନଥିଲେ ତ କେଉଁଠାରେ ଶିକ୍ଷକ ଶିକ୍ଷୟତ୍ରୀମାନେ କ୍ଲାସ ଆରମ୍ଭ କରିବା ବଦଳରେ ବାରଣ୍ଡାରେ ଠିଆ ହୋଇ ଗପୁଥିଲେ। ଏଭଳି ଦୂରାବସ୍ଥାର ଚିତ୍ର ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲା ନୂଆପାଟଣା ପ୍ରତାପ ଶାସନ ହାଇସ୍କୁଲରେ। ଏଠାରେ ୧୦ଟା ୪୦ ସୁଦ୍ଧା ମାତ୍ର ୨ଜଣ ଶିକ୍ଷକ ଉପସ୍ଥିତ ଥିଲେ। ଯାହାକୁ ଦେଖି ମନ୍ତ୍ରୀ କ୍ଷୁବ୍ଧ ହୋଇଛନ୍ତି। 

ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ ବେଳେ ପ୍ରତାପ ଶାସନ ହାଇସ୍କୁଲର ବାସ୍ତବ ଚିତ୍ର ସାମ୍ନାକୁ ଆସିଥିଲା। ପ୍ରାର୍ଥନା ଚାଲିଥିବା ସମୟରେ ସ୍କୁଲରେ ସମୀର ଦାସ ପହଁଚିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ଥିଲେ। ଦିନ ୧୦ଟା ୪୦ରେ ମନ୍ତ୍ରୀ ପହଁଚିବା ବେଳେ ସ୍କୁଲରେ ମାତ୍ର ୨ଜଣ ଶିକ୍ଷୟତ୍ରୀ ଥିଲେ। ଯାହାକୁ ଦେଖି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଅନୁପସ୍ଥିତ ଥିବା ଶିକ୍ଷକଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି ସମୀର ଦାସ୍। ଏତଦ୍ ବ୍ୟତୀତ ସ୍କୁଲକୁ କାହିଁକି କମ୍ ପିଲା ଆସୁଛନ୍ତି, କିଭଳି ପାଠ ପଢା ଚାଲିଛି ସେନେଇ ପିଲାଙ୍କ ଠାରୁ ପଚାରି ବୁଝିଥିଲେ ମନ୍ତ୍ରୀ। ଯଦି ଅନୁପସ୍ଥିତ ଥିବା ଶିକ୍ଷକମାନେ କାରଣ ଦର୍ଶାଅ ନୋଟିସର ଉତ୍ତର ନରଖନ୍ତି ତେବେ ତାଙ୍କ ବିରୋଧରେ ଆଇନିଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମୀର ଦାସ୍।