ସ୍କୁଲ ପିଲାମାନେ ସାମୂହିକ ଭାବେ ହୋଲି ଖେଳନ୍ତୁ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋରୋନା ଭାଇରସ୍ ଯୋଗୁଁ ବିଶ୍ୱବ୍ୟାପି ଭୟ ଲାଗି ରହିଥିବାବେଳେ ଆସନ୍ତାକାଲି ହୋଲି ଫିକା ପଡିପାରେ ବୋଲି ଆଶା କରାଯାଉଛି । ଅନ୍ୟପଟେ ହୋଲିକୁ ନେଇ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପିଲାମାନଙ୍କୁ ସାମୂହିକ ଭାବେ ରଙ୍ଗ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି, “ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନ ଖେଳନ୍ତୁ। କୋରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ କରାଯାଉଛି। ଖୁବଶୀଘ୍ର ସ୍କୁଲରେ କୋରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ।”

ଆସନ୍ତାକାଲି ହୋଲି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। କୋରୋନା ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ କୁହାଯାଇଛି। ଯଥାସମ୍ଭବ ଏକତ୍ର ହୋଇ ରଙ୍ଗ ଖେଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।  ବଡ଼ ସମାବେଶ କରି ହୋଲି ଖେଳନ୍ତୁ ନାହିଁ, ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ, କର ମର୍ଦ୍ଦନ କି ଆଲିଙ୍ଗନ କରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, କରୋନାରେ ଏଯାବତ ଦେଶରେ ୪୩ଜଣ ଆକ୍ରାନ୍ତ ହୋଇଛନ୍ତି।  ତେବେ ରାଜ୍ୟରେ ଏପର୍ଯ୍ୟନ୍ତ କେହି କୋରୋନାରେ ଆକ୍ରାନ୍ତ ହୋଇନାହାନ୍ତି।