ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ଓଡିଶାରେ ଅଭୂତପୂର୍ବ ଜନସମର୍ଥନ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ:ସମୀର ମହାନ୍ତି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସାଧାରଣ ଜନତା ଏକାଠୀ ହେବା ଉପରେ ପ୍ରତିବନ୍ଧକ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଉପଲକ୍ଷେ ଟେକ୍ନୋଲୋଜି ପ୍ଲାଟଫର୍ମର ବ୍ୟବହାର କରି ଦଳ ତରଫରୁ ଜନସମ୍ବାଦ କରାଯାଇଥିଲା । ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ମୋଦି ସରକାରଙ୍କ ବିକାଶର ଗାଥା କହିବା ସହ ଓଡିଶା ପାଇଁ ମୋଦି ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇଥିଲେ । ଟେକ୍ନୋଲୋଜିର ବିଭିନ୍ନ ପ୍ଲାଟଫର୍ମରେ ଲକ୍ଷାଧିକ ଓଡିଆ ଭାଇ ଭଉଣୀମାନେ ଯୋଡି ହୋଇ ଏହି ଜନସମ୍ବାଦ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ବିଜେପିର ସୋସିଆଲ ମିଡିଆ (ଫେସବୁକ, ଟ୍ୱିଟର, ୟୁଟ୍ୟୁବ), ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମର ସୋସିଆଲ ମିଡିଆ ପ୍ଲାଟଫର୍ମ, ଡିଜିଟାଲ ମିଡିଆ ସମେତ ଦଳର ବରିଷ୍ଠ ନେତାମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଲି ଦିନ ରାତି ୯ ଟା ସୁଦ୍ଧା ୨୯ ଲକ୍ଷ ୫୮ ହଜାର ୬୩୫ରୁ ଉର୍ଦ୍ଧ୍ୱ ଲୋକ ଯୋଡି ହୋଇ ଜନସମ୍ବାଦ ରାଲିକୁ ଦେଖିଥିଲେ । ପରେ ସାଧାରଣ ଜନତା ଏବଂ ବିଜେପି କାର୍ଯ୍ୟକର୍ତାଙ୍କ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଜନସମ୍ବାଦ ଭିଡିଓ ଓଡିଶାର ୧ କୋଟି ଲୋକଙ୍କ ପାଖରେ ପହଂଚିଥିଲା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ଓଡିଶାରେ ଅଭୂତପୂର୍ବ ଜନସମର୍ଥନ ମିଳିଛି । ଏଭଳି ଏକ ଭର୍ଚୁଆଲ ରାଲିରେ ନିଜକୁ ସାମିଲ କରିଥିବାରୁ ସମଗ୍ର ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଓଡିଶାବାସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂତି ଅବସରରେ ଓଡିଶାର ବିକାଶ, ବିପର୍ଯ୍ୟୟର ସହାୟତା, ସ୍ୱାର୍ଥ, ସ୍ୱାଭିମାନ ଓ ସଂସ୍କୃତି ଆଦି ମହତ୍ୱପୂର୍ଣ୍ଣ ଉପଲ୍ୱଧୀ ସଂପର୍କିତ ଏକ ଲିଫଲେଟ ଉନ୍ମୋଚନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟ ଧାରା ଏବଂ ଓଡିଶାକୁ ମିଳିଥିବା ଅନୁଦାନ ସଂପର୍କରେ ଉଲ୍ଲେଖ ଥିବା ଏହି ଲିଫଲେଟକୁ ବିଜେପିର ୩୭ ହଜାର ବୁଥର କାର୍ଯ୍ୟକର୍ତାମାନେ ପ୍ରତି ବୁଥରେ ୧୦୦ଟି ପରିବାର ପାଖରେ ପହଂଚାଇବା ସହ ଜନ ଆଶୀର୍ବାଦ ଭିକ୍ଷା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।