ଭୁବନେଶ୍ବର: ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରି କାୟା ମେଲାଉଥିବା କୋରୋନା ଭାଇରସର ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି । ଏଣିକି ସ୍କୁଲ ଗୁଡିକରେ ମଧ୍ୟ ଥଣ୍ଡା କାଶ, ଜ୍ଵର ହେଲେ ଶିକ୍ଷକମାନେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ଛାତ୍ରଛାତ୍ରୀଙ୍କ ନିକଟରେ କୌଣସି ପ୍ରକାର ଲକ୍ଷଣ ଦେଖାଗଲେ ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ । ଉକ୍ତ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ଯାହା ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଏହାକୁ ସମସ୍ତ ସ୍କୁଲ ପାଳନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସମଗ୍ର ବିଶ୍ବରେ କୋରୋନା ଭାଇରସ ଆତଙ୍କ ଦେଖାଯାଇଥିବାବେଳେ ଏଥିରୁ ବାଦ୍ ପଡିନି ଓଡ଼ିଶା । ଚୀନ୍ରୁ ଉତ୍ପତି ହୋଇଥିବା କୋରୋନା ଭାଇରସ୍ କୁ ନେଇ ରାଜ୍ୟରେ ବର୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଥିବା ସନ୍ଦେହରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ଏହି କୋରୋନା ଭାଇରସର ନିୟନ୍ତ୍ରଣ ଓ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁଠି ଭାଇରସ ସଂକ୍ରମଣର ସନ୍ଦେହ ଦେଖାଯାଉଛି ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି ଏବଂ ଉକ୍ତ ରୋଗୀଙ୍କୁ ହୋମ୍ ଆଇସୋଲେସନ ରଖାଯାଇ ନିୟମିତ ଚିକିତ୍ସା କରାଯାଉଛି । ଯେଉଁ ରୋଗୀମାନେ ଅଧିକ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ସେମାନଙ୍କୁ ମେଡିକାଲରେ ଆଇସୋଲେସନ ୱାର୍ଡରେ ଭର୍ତି କରି ଚିକିତ୍ସା କରାଯାଉଛି ।
ବର୍ତମାନ ପରୀକ୍ଷା ଋତୁ ଚାଲିଥିବାରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ମାରାତ୍ମକ ଭାଇରସର ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଛି ।