ପିପିଲି ଉପନିର୍ବାଚନକୁ ମୁକ୍ତ ଓ ଅବାଧ ନକରିବା ଲାଗି ଶାସକ ଦଳ ଇଙ୍ଗିତରେ ପୋଲିସ ଷଡଯନ୍ତ୍ର ରଚିଛି: ସମ୍ବିତ ପାତ୍ର

ଭୁବନେଶ୍ୱର : ସାରା ଭାରତ ବିକାଶ ବାଦର ରାଜନୀତି ଚାହୁଁଛି । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରକୁ ଦେଶବାସୀ ଆପଣାଇଛନ୍ତି । ସେହି କ୍ରମରେ ଚଳିତ ଉପନିର୍ବାଚନରେ ପିପିଲିବାସୀ ପରିବର୍ତନ ମୁହାଁ ହୋଇଛନ୍ତି । ଦୀର୍ଘ ୩୫ ବର୍ଷର ଗୁଣ୍ଡାରାଜକୁ ଛାଡି ପିପିଲି-ଡେଲାଙ୍ଗବାସୀ ବିକାଶ ବାଦରେ ସାମିଲ ହେବା ପାଇଁ ସୁନିଶ୍ଚିତ କରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ କି, ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରାଇ ନଦେବା ପାଇଁ ଶାସକ ବିଜେଡି ପୋଲିସକୁ ହାତବାରିଶି କରି ବଡ ଷଡଯନ୍ତ୍ର ରଚନା କରିଛି । ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ବାରମ୍ବାର ମରଣାନ୍ତକ ଆକ୍ରମଣ ହେବା ଏହାର ବଡ ପ୍ରମାଣ । ଭୟର ବାତାବରଣ ସୃଷ୍ଟି କରିବା ବିଜେଡିର ଏଜେଣ୍ଡା ଓ ପୋଲିସ ଏଥିରେ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ନିର୍ବାଚନ ସମୟରେ ଜାମିନ ବିହୀନ ପରୱାନା ଥିବା ଲୋକଙ୍କ ଉପରେ କଡା ନଜର ରଖିବା ଓ ଆବଶ୍ୟକସ୍ଥଳେ ତାଙ୍କୁ ଆକଟ ଓ ଅଟକ କରିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଏଠି ଏହାର ବିପରୀତ କାର୍ଯ୍ୟ ହେଉଛି । ଘୋଷିତ ଅପରାଧୀ, ପଳାତକ ଏବଂ ଯେଉଁ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା କଥା ରାଜ୍ୟ ସରକାର ଓ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ଅପରାଧୀ ଧିରେନ ସାମନ୍ତରାୟଙ୍କ ନାଁରେ ୩ଟି ହତ୍ୟା ଅଭିଯୋଗ ରହିବା ଏବଂ ପୁରୀ ଜିଲ୍ଲା କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ପରେ ବି ସେ ବିଜେଡିର ବିଭିନ୍ନ ସଭା ସମିତିରେ ମଂଚାସୀନ ହେଉଛନ୍ତି । ସେହିପରି ପ୍ରିୟବ୍ରତ ସାମନ୍ତରାୟଙ୍କ ନାଁରେ ଅନେକ କେସ ରହିଛି । ସଂଜୟ ସାମନ୍ତରାୟଙ୍କୁ ପଳାତକ ଘୋଷଣା କରାଯିବା ସତ୍ୱେ ଏମାନଙ୍କୁ ପିପିଲି ନିର୍ବାଚନ ପରିଚାଳନା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଦେଇଛନ୍ତି । ପଳାତକ ଘୋଷିତ ହୋଇଥିବା ଅପରାଧୀମାନେ ବିଜେଡିର ତୁଙ୍ଗ ନେତାଙ୍କ ସହ ରହି ନିର୍ବାଚନକୁ ପ୍ରଭାବିତ କରାଉଛନ୍ତି । ପୂର୍ବରୁ ବିଜେଡର ସମର୍ଥକ ଥିବା ଲୋକମାନେ ଦଳ ଛାଡି ବିଜେପିକୁ ସମର୍ଥନ କରୁଥିବା ଯୋଗୁଁ ଓଡିଶା ପୋଲିସ ସେମାନଙ୍କୁ ଖୋଜି ଖୋଜି ଗିରଫ କରୁଛି ଏବଂ ଅଟକ ରଖୁଛି ।
ପ୍ରାୟ ୩୬ ଘଂଟା ବିତିଥିଲେ ବି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାରେ ଓଡିଶା ପୋଲିସ ବିଫଳ ହୋଇଛି । ବର୍ତମାନ ସୁଦ୍ଧା ହାଇଦର ଫେରାର ଦେବା ଘଟଣାରେ ଷଡଯନ୍ତ୍ର ରଚିଥିବା ମୁଖ୍ୟ ଖଳନାୟକଙ୍କୁ ପୋଲିସ ଧରିପାରିଲା ନାହିଁ । ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଜବାବ ନାହିଁ । ରାଜ୍ୟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥାଇ ବିଶ୍ୱସ୍ତରୀୟ ହସ୍ପିଟାଲରୁ କୁଖ୍ୟାତ ଅପରାଧି କିପରି ଫେରାର ହୋଇପାରୁଛି ତାହା ରାଜ୍ୟର ଆଇନ କାନୁନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପିପିଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ସରକାରୀ ଡାକ୍ତର ଡା. ଅବିନାଶ ରଥ ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଥିଲେ । ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା । ଏ ଘଟଣାରେ ସାଙ୍ଗେ ସାଙ୍ଗେ ପୋଲିସ ସଜାଗ ହୋଇ ପଛୁଆ ତାରିଖରେ ଏତଲା ହୋଇଛି କହି ସଂପୃକ୍ତ ଡାକ୍ତରଙ୍କୁ ସୁରକ୍ଷା ଦେଲା । ଏଥିରୁ ପ୍ରମାଣିତ ହେଲା କି ପୋଲିସ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ପୂରା ପ୍ରସ୍ତୁତ ହୋଇ ରହିଛି । ସେହିପରି ଏପ୍ରିଲ ୭ ତାରିଖରେ ଏକ କଳା ବ୍ୟାଗ ଧରାପଡିଥିଲା ଏବଂ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଥିଲା । କଳାବ୍ୟାଗ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୋଲିସ ସେହି କଳା ବ୍ୟାଗକୁ ଅନ୍ୟ ଗାଡିରେ ପଠାଇବା ପାଇଁ ସାହାଯ୍ୟ କରିଥିଲା । ପୋଲିସ କିନ୍ତୁ ତଦନ୍ତ ରିପୋର୍ଟରେ ଦର୍ଶାଇଛି କି ଆଳୁ ଗୋଦାମ ମାଲିକର କହିବା ଅନୁଯାୟୀ ସେ ବ୍ୟାଗରେ କିଛି ନଥିଲା । ପୋଲିସକୁ ଲଗାଇ ବିଜେଡି ପିପିଲିରେ ଉପନିର୍ବାଚନକୁ ପ୍ରଭାବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ବିଶ୍ୱସ୍ତରୀୟ କଟକ ହସ୍ପିଟାଲରୁ ଗ୍ୟାଙ୍ଗଷ୍ଟର ହାଇଦାର ଫେରାର ହେବାର ୩୬ ଘଂଟା ପରେ ବି ରାଜ୍ୟ ସରକାର ତାକୁ ଧରିବାରେ ବିଫଳ ହୋଇଛନ୍ତି । ଶୁଣିବାକୁ ମିଳୁଛି କି କିଛି ଲୋକ ହାଇଦରକୁ ବିରିୟାନୀ ଖାଇବାକୁ ଦେଉଥିଲେ ଆଉ କିଛି ଜଣ ତା’ର ସେବା କରୁଥିଲେ । ଯଦି ଜଣେ କୁଖ୍ୟାତ ଅପରାଧୀ କଟକ ବଡ ମେଡିକାଲରୁ ଅତି ସହଜରେ ଖସିଯାଇ ପାରୁଛି ତେବେ ରାଜ୍ୟରେ ପୋଲିସ ପ୍ରଶାସନର ବଡ ବଡ ଅଧିକାରୀମାନେ କ’ଣ କରୁଛନ୍ତି? ଓଡିଶାର ଗୃହମନ୍ତ୍ରୀ ଖୋଦ୍ ମୁଖ୍ୟମନ୍ତ୍ରୀ । ତାଙ୍କରି ନାକ ତଳେ ଏଭଳି ଘଟଣା ହେବା ଦୁର୍ଭାଗ୍ୟଜନକ । ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ମୁଖ୍ୟମନ୍ତ୍ରୀ ଦଳର ମନ୍ତ୍ରୀ ମାନଙ୍କୁ ନେଇ ବିଭାଗର କାର୍ଯ୍ୟ ତଦାରଖର ସମୀକ୍ଷା କରିବେ । ତେବେ ଗୃହବିଭାଗର ମୁଖ୍ୟ ହୋଇଥିବାରୁ ତାଙ୍କ କାର୍ଯ୍ୟର ସମୀକ୍ଷା କିଏ କରିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।