ଦେଶର ଦ୍ଵିତୀୟ: ସମ୍ଵଲପୁର ରେଳ ଷ୍ଟେସନକୁ ‘ନୋ ପ୍ଲାଷ୍ଟିକ ଜୋନ’ ଘୋଷଣା

ସମ୍ବଲପୁର:ଭାରତୀୟ ରେଳ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଜାରି କରି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ୫୦ ମାଇକ୍ରୋନରୁ କମ ମୋଟ ଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ କରିଛି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଛି । ଏହା ପରେ ସମ୍ବଲପୁର ରେଳ ଷ୍ଟେସନ ‘ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା ହୋଇଛି। ତିରୁପତି ପରେ ଦେଶର ଦ୍ଵିତୀୟ ରେଲ ଷ୍ଟେସନ ଭାବେ ସମ୍ବଲପୁର ରେଳ ଷ୍ଟେସନକୁ ‘ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା କରାଯାଇଛି। 

ରେଳ ମନ୍ତ୍ରଣାଳୟର ଏହି ପଦକ୍ଷେପ ପରେ ତିରୁପତି ରେଳ ଷ୍ଟେସନକୁ ଦେଶର ପ୍ରଥମ  ‘ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା କରାଯାଇଥିଲା। ଏହା ପରେ  ସମ୍ବଲପରୁ ରେଳ ଷ୍ଟେସନକୁ ଦେଶର ଦ୍ଵିତୀୟ ‘ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା କରାଯାଇଛି। ଯାହା ଓଡ଼ିଶା ଓ ସମ୍ବଲପୁର ପାଇଁ ସମ୍ମାନର କଥା ହୋଇଛି।

ଡିଆରଏମ ସମ୍ବଲପୁର ପକ୍ଷରୁ ଟ୍ଵିଟ୍ କରି ଏ ନେଇ ସୂଚନା ଦିଆଯାଇଛି। ଏହା ପୂର୍ବରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ନେଇ ଏକ ସେମିନାର ଆୟୋଜିତ  ହୋଇଥିଲା। ଏଥିରେ ଡିଆରଏମ, ଏଡିଆରଏମ, ରେଲଓ୍ଵେ ଅଧିକାରୀ, ଏନସିସି, ରେଲଓ୍ଵେ କର୍ମକର୍ତ୍ତା ସାମିଲ ହୋଇଥିଲେ। 

ପ୍ଲାଷ୍ଟିକ ଅଳିଆ ଆବର୍ଜନା ହ୍ରାସ କରିବା ପାଇଁ ମନ୍ତ୍ରାଳୟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିବାକୁ ନିଷ୍ପତି ନେଇଥିଲା। ଏହି ପଦକ୍ଷେପ ଦ୍ୱାରା ପରିବେଶ ସୁସ୍ଥ ଏବଂ ସ୍ୱଚ୍ଛ ରଖିବାରେ ସହାୟତା ହେବ । ଏହି ଆଦେଶକୁ ଗାନ୍ଧୀ ଜୟନ୍ତୀଠାରୁ କଡାକଡି ଭାବେ ଲାଗୁ କରାଯିବ।