ନୂଆଖାଇ ପୂର୍ବରୁ ଦରମା ଓ ପେନ୍‌ସନ୍‌ ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଆଉ ଦିନ କେଇଟା ପରେ ପାଳନ  ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏହାକୁ ନେଇ ପ୍ରତ୍ୟେକ ଘରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଦୂରଦୂରାନ୍ତରେ ଥିବା ଲୋକେ ନିଜ ଘରକୁ ବାହୁଡିବା ଆରମ୍ଭ କଲେଣି। ପଶ୍ଚିମ ଓଡିଶାର ପ୍ରସିଦ୍ଧ ଏହି କୃଷିଭିତିକ ପର୍ବ ପାଇଁ ମା ସମଲେଶ୍ୱରୀଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୩ରେ ନବାନ୍ନ ଲାଗି ପାଇଁ ଦିନ ଧାର୍ଯ୍ୟ ହୋଇଛି। ପଶ୍ଚିମ ଓଡ଼ିଶାର ଏହି ଗଣପର୍ବକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଦୃଷ୍ଟିରେ ରଖି ସରକାର ଅଗଷ୍ଟର ଦରମା ଆଗୁଆ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳଙ୍କୁ ଅର୍ଥ ବିଭାଗର ଚିଠି ଲେଖି ଅଗଷ୍ଟ ୩୧ରେ ଅଗଷ୍ଟ ମାସର ଦରମା ଓ ପେନ୍‌ସନ ଦେବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କର୍ମଚାରୀଙ୍କ ଖୁସିକୁ ଦ୍ଵିଗୁଣିତ କରିଛି। 

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୪ ତାରିଖରେ ସମ୍ବଲପୁର ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ସେପ୍ଟେମ୍ବର ୩ରେ ନବାନ୍ନ ଲାଗି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହି ନବାନ୍ନ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ । ଏହାକୁ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଠାକୁରାଣୀଙ୍କ ନିକଟରେ ଲାଗି କରାଯିବ।

ସୂଚନାଯୋଗ୍ୟ କି, ବ୍ରାହ୍ମଣ ମହାସଭା ଦ୍ୱାରା ଏହି ଗଣପର୍ବର ଲଗ୍ନ ନିର୍ଘଂଟ କରାଯାଇଛି । ଝାଡୁଆପଦା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ପାଂଜି ଦେଖି ଲଗ୍ନ ନିର୍ଘଂଟ ନେଇ ନିଷ୍ପତି ନେଇଥିଲେ।  ନବାନ୍ନ ଲାଗି ନେଇ ଲଗ୍ନ ନିର୍ଘଂଟ ହେବା ପରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡକୁ ଏ ନେଇ ଲିଖିତ ଭାବରେ ସୂଚନା ଦିଆଯାଇଥିଲା।