ଜନ୍ମ ମାଟିରେ ଜଳିଲା ଚିତା : ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡିଆ ଯବାନ ମନୋଜ

କଟକ : ଜନ୍ମ ମାଟିରେ ଜଳିଲା ଜୁଇ । ଚିର ଦିନ ପାଇଁ ଅମର ହୋଇଗଲେ ଓଡିଆ ଯବାନ ସହିଦ ମନୋଜ ବେହେରା । ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଶନିବାର ରାତି ପଂଚଭୂତରେ ଲୀନ ହୋଇଛି। ଗାଁ ମଶାଣିରେ ଅନ୍ତିମ ସଂସ୍କାର ବେଳେ ଦାଦା ପୁଅ ଭାଇ ରଂଜନ କୁମାର ବେହେରା ଓ ଭଉଣୀ ବାସନ୍ତୀ ବେହେରା ମୁଖାଗ୍ନି ଦେଇଛନ୍ତି। ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହିତ ସିଆରପିଏଫ ଯବାନଙ୍କ ଦ୍ୱାରା ଗାର୍ଡ ଅଫ ଅନର, ତୋପ ସଲାମି ଦିଆଯାଇଛି।

ଓଡ଼ିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ପରିବାର ଲୋକ, ବନ୍ଧୁ-ବାନ୍ଧବ, ଗ୍ରାମବାସୀ, ସ୍ଥାନୀୟ ଅଂଚଳରେ ନେତା, ପ୍ରଶାସନ, ତଥା ପ୍ରାୟ ୩୦ ହଜାର ଲୋକ ଉପସ୍ଥିତ ଥିଲେ।
କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ନିଆଳି ବିଧାୟକ ପ୍ରମୋଦ କୁମାର ମଲିକ, କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ଥିଲେ। ସହିଦଙ୍କ ଚିତା ଜଳିବା ପୂର୍ବରୁ ଆଂଚଳିକ ଜୀବନ ବୀମା ପ୍ରବନ୍ଧକ ସହିଦଙ୍କ ପିତାଙ୍କୁ ୨ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବୀମାରାଶି ପ୍ରଦାନ କରିଛନ୍ତି।