କରୋନାର ଶିକାର ହେଲେ ଋଷ୍ ର ପ୍ରଧାନମନ୍ତ୍ରୀ

ଋଷ୍‌: ଋଷ୍ ରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ଏପରିକି ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କରୋନା ଭାଇରସ ଛାଡ଼ିନାହିଁ । ଋଷ୍  ର ପ୍ରଧାନମନ୍ତ୍ରୀ ମିଖାଲି ମିସୁସ୍ତିନ୍‌ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଏହା ଜଣାପଡ଼ିଛି । ଦେଶରେ ଗୁରୁବାର କରୋନା ଭାଇରସରେ ପୀଡ଼ିତ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିସାରିଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ୧ ହଜାର ଅତିକ୍ରମ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଭାବେ ମିଖାଲି ଶପଥ ଗ୍ରହଣ କରିଥିଲେ । ତାଙ୍କର ନମୁନା ପରୀକ୍ଷା ପରେ ଗୁରୁବାର ପଜିଟିଭ ରିପୋର୍ଟ ଆସିଛି । ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ସହ ଟେଲିଭର୍ସନ ବ୍ରଡକାଷ୍ଟରେ କରାଯାଇଥିବା ଏକ ଭିଡିଓରେ ମିଖାଲି ଏହି ସୂଚନା ଦେଇଛନ୍ତି । ଏଥି ସହ ସେ କହିଛନ୍ତି, ବର୍ତମାନ ପାଇଁ ସେ ପ୍ରଧାନମନ୍ତ୍ରୀ ପଦରୁ ଦୂରରେ ରହିବେ । ସେ ଆନ୍ଦ୍ରେ ବେଲୁସୋଭଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି ପୁତିନ ଏହାକୁ ସ୍ୱୀକୃତି ଦେଇଛନ୍ତି । ଏ ଖବର ପାଇବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି, ଆଶୁ ଆରୋଗ୍ୟ ଏବଂ ଉତମ ସ୍ବାସ୍ଥ୍ୟ ସ୍ୱାସ୍ଥ୍ୟ ନିମ‌ନ୍ତେ ରୁଷ୍‌ର ପ୍ରଧାନମନ୍ତ୍ରୀ ମିସୁସ୍ତିନ୍‌‌ଙ୍କ ପ୍ରତି ମୋର ଶୁଭକାମନା। କୋଭିଡ୍୧୯ ମହାମାରୀକୁ ପରାସ୍ତ କରିବା ଉଦ୍ୟମରେ ଆମେ ଆମର ଘନିଷ୍ଠ ବନ୍ଧୁ ରୁଷ୍‌କୁ ସମର୍ଥନ କରୁଛୁ।