୫ ସହରରେ ଅସ୍ତ୍ର ବିରତି ଘୋଷଣା କଲା ରୁଷ୍

ଶୁକ୍ରବାର ୟୁକ୍ରେନର ବୃହତମ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ରୁଷିଆ ସେନା କବଜାକୁ ନେବା ପରେ ଆଜି ପୁଣି ଖାରକିଭ ଠାରେ ଥିବା ଆଉ ଏକ ପାୱାର ପ୍ଲାଣ୍ଟକୁ କବଜାକୁ ନେଇଛି । ଏହାକୁ ବର୍ତମାନ ରୁଷ ସେନା ନିୟନ୍ତ୍ରଣ କରୁଛି । ସେପଟେ ଇସ୍ରାଏଲ, ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବା ଆରମ୍ଭ କରିଛି ।

ସେପଟେ ପ୍ରମୁଖ ସହର ଜାଇଡୋମିର ତୈଳ ଡିପୋ ଉପରେ ମିଜାଇଲ ମାଡ କରିଛନ୍ତି ରୁଷ ସେନା । ମିଜାଇଲ ମାଡରେ ତୈଳ ଡିପୋରେ ନିଆଁ ଲାଗିଯାଇଛି ।

ହୁତୁ ହୁତୁ ହୋଇ ଜଳୁଛି ଅଏଲ ଡିପୋ । ଆକାଶରୁ ଉଚ୍ଚ ପର୍ଯ୍ୟନ୍ତ ଉଠୁଛି ନିଆଁ । ଏଦୃଶ୍ୟ ଆସିଛି ୟୁକ୍ରେନର ଜାଇଡୋମିରରୁ । ଜାଇଡୋମିର ତୈଳ ଡିପୋ ଉପରେ ମିଜାଇଲ ମାଡ କରାଯାଇଛି । ଏହା ପରେ ତୈଳ ଡିପୋରେ ନିଆଁ ଲାଗିଯାଇଛି । ଆକାଶ ଛୁଉଁଛି ନିଆଁ ଓ ଧୂଆଁ । କେବଳ ଜାଇଡୋମିର ନୁହେଁ, ଚେର୍ନିହିଭର ତୈଳ ଡିପୋ ଉପରେ ମଧ୍ୟ ରୁଷ ପକ୍ଷରୁ ଆକ୍ରମଣ କରାଯାଇଛି ।

୫ ସହରରେ ଅସ୍ତ୍ର ବିରତି ଘୋଷଣା କଲା ରୁଷ୍ । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଦିଆଗଲା ସମୟ । ଯୁଦ୍ଧ କେବେ ସରିବ କିଛି ଜଣାପଡ଼ୁନଥିବା ବେଳେ ୫ ସହର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ରୁଷ୍ । କିଭ୍, ଖାରକିଭ୍, ମାରିୟିପୋଲ, ସୁମି ଓ ଚେର୍ନିହିଭ୍ ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି । ଏହି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକଙ୍କୁ ଯୁଦ୍ଧକ୍ଷେତ୍ରରୁ ଉଦ୍ଧାର ପାଇଁ ସମୟ ମିଳିବ ।

ଆଣବିକ ଗବେଷଣା କେନ୍ଦ୍ର ଉପରେ ଆକ୍ରମଣ । ସତର୍କ କଲା ଆଣବିକ ଶକ୍ତି ସଂସ୍ଥା । ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା, ଆଇଏଇଏ ପକ୍ଷରୁ କୁହାଯାଇଛି ଯେ, ଖାରକିଭ୍ ସହରରେ ଥିବା ଆଣବିକ ଗବେଷଣା କେନ୍ଦ୍ର ଆକ୍ରମଣ ଯୋଗୁଁ କ୍ଷତିଗ୍ରସ୍ଥ ହୋଇଛି । ଫଳରେ ଏଠାରୁ ଆଣବିକ ବିକିରଣର ଭୟ ବଢ଼ିଛି । ହେଲେ ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଆଣବିକ ସଂସ୍ଥାର ଅଧିକାରୀ ।

ପୁଣି ସହାୟତା ପାଇଁ ଅପିଲ କଲେ ଜେଲେନସ୍କି । ରୁଷକୁ ଅଟକାଇବାକୁ ଏକାଠି ହେଉ ଅନ୍ତର୍ଜାତୀୟ ସମୁଦାୟ । ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ଥରେ ସହାୟତା ପାଇଁ ଅପିଲ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଅନ୍ତର୍ଜାତୀୟ ସମୁଦାୟ ଏକାଠି ହୋଇ ରୁଷକୁ ଅଟକାଇବାକୁ ଆଗେଇ ଆସିବାକୁ ସେ କହିଛନ୍ତି । ନିଜର ଏକ ଭିଡିଓରେ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନବାସୀ ନିଜ ଦେଶ ପାଇଁ ନିଜ ଅଧିକାର ପାଇଁ ଏବେ ଏକାକୀ ଲଢ଼େଇ ଜାରି ରଖିଛନ୍ତି । ହେଲେ ସାରା ବିଶ୍ୱ ଖାଲି ନୀରବଦ୍ରଷ୍ଟା ନସାଜି ସହାୟତା ପାଇଁ ଆଗେଇ ଆସିବା ଦରକାର ।