୪ ନେତାଙ୍କୁ ବିଜେପୁର ଦାୟିତ୍ୱ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ୪ଜଣ ବରିଷ୍ଠ ନେତାଙ୍କୁ ସ୍ୱତନ୍ତ୍ର ଭାବେ ବିଜେପୁର ଉପନିର୍ବାଚନ କାର୍ଯ୍ୟ ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ମିଳିଥିବା ସୂଚନା ଅନୁସାରେ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ୪ଜଣିଆ ନିର୍ବାଚନ ସମନ୍ୱୟ କମିଟି ଗଠନ ହୋଇଛି। କମିଟିରେ ଦୁଇ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କ ସମେତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ସାମିଲ କରାଯାଇଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବେ ବରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବାରୁ ସେ ମଧ୍ୟ ଏହି କମିଟି ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହି ନେତାମାନଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକ୍ ବିଜେପୁର, ବରପାଲି ଓ ଗାଇସିଲେଟ୍ ସହ ଏଏନଏସି ଦାୟିତ୍ୱ ନ୍ୟସ୍ତ କରାଯାଇ ନିଜ ନିଜର ଟିମ୍ ଗଠନ ସହ ସେଠାରେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।