ଓଡିଶାର ସମ୍ମାନ ପାଇଁ  ବିଧାନସଭାରେ ବିରୋଧୀ ଶାସକ ଏକ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଅଭିଜିତ୍ ଆୟାର ମିତ୍ରଙ୍କୁ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ସମନ୍ କରାଯିବ । ହାଜର ନହେଲେ ତାଙ୍କ ବିରୋଧରେ ଜାରି ହେବ ୱାରେଣ୍ଟ୍ । ଅଭିଜିତ ଆୟାରଙ୍କ ମନ୍ତବ୍ୟ ପ୍ରତିବାଦରେ ଗଠିତ ଗୃହ କମିଟି ଖୁବ୍ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବ । ଅଭିଜିତଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟ ପ୍ରତିବାଦରେ ବିଧାନସଭାରେ ଆସିଥିବା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଲୋଚନା ପରେ, ବାଚସ୍ପତି ଗୃହ କମିଟି ଗଠନ କରିଛନ୍ତି । ପ୍ରସ୍ତାବ ଉପରେ ଆଲୋଚନା ବେଳେ ଅଭିଜିତଙ୍କ ସହ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ବିବାଦକୁ ଟାଣିଛନ୍ତି କଂଗ୍ରେସ ଓ ବିଜେଡି ବିଧାୟକମାନେ ।

ଓଡ଼ିଶା ବିରୋଧୀ ଅଭିଜିତ୍ ଆୟାର ମିତ୍ରଙ୍କ ବିରୋଧରେ ପୂରା ବିଧାନସଭା ଏକ । ଓଡ଼ିଶାର ସ୍ବାଭିମାନକୁ ବିଦ୍ରୁପ କରି ଅଭିଜିତ, ବିଧାୟକମାନଙ୍କୁ ବୁଦ୍ଦୁ କହିବା ମହଙ୍ଗା ପଡିଛି । ବାକ୍ ସ୍ବାଧୀନତାର ଦ୍ବାହି ଦେଇ ଓଡ଼ିଆ ଜାତିକୁ ଅପମାନ କରି ଖସିଯିବାକୁ ଚେଷ୍ଟା କରୁଥିବା ଅଭିଜିତଙ୍କ ପାଇଁ ବିଧାନସଭାରେ ବସିଲା ଫାଶ । ପ୍ରଶ୍ନକାଳକୁ ବାତିଲ୍ କରି ତାଙ୍କ ବିରୋଧରେ ଆସିଛି ସ୍ବାଧୀକାର ଭଙ୍ଗ ପ୍ରସ୍ତାବ । ଯାହାକୁ ସବୁ ଦଳ ଏହାକୁ ସମର୍ଥନ କରିଛନ୍ତି । ଘଟଣାର ତଦନ୍ତ ସହ ଆୟାରଙ୍କ ବିରୋଧରେ ଆକ୍ସନ୍ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ ୬ ଜଣିଆ ଗୃହ କମିଟି ଗଠନ କରିଛନ୍ତି ବାଚସ୍ପତି । ଆସନ୍ତା ଅଧିବେଶନର ପ୍ରଥମ ଦିନରେ କମିଟି ତାର ରିପୋର୍ଟ ଦେବ ।

ଟ୍ବିଟରରେ ମନଇଚ୍ଛା ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ ଚାଲିଥିଲେ ଅଭିଜିତ୍ ଆୟାର ମିତ୍ର । ଯାହାକୁ ନେଇ ବିଧାନସଭାରେ ତମ୍ବି ତୋଫାନ ଲାଗି ରହିଥିଲେ ମଧ୍ୟ ଅଭିଜିତଙ୍କ ଉପରେ କିଛି ପ୍ରଭାବ ପଡ଼ି ନଥିଲା । ବରଂ ନ୍ୟୁଜ ଇଣ୍ଟରଭ୍ୟୁରେ ଓଡ଼ିଶା ବିଧାୟକଙ୍କୁ ବୁଦ୍ଦୁ କହିବାକୁ ସେ ପଛାଇ ନଥିଲେ । ଯାହାକୁ ବିଧାନସଭାରେ ଗଣ୍ଠି କରିଥିଲେ ବିଧାୟକମାନେ । ପ୍ରଶ୍ନକାଳ ବାତିଲ କରି ଅଭିଜିତଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା । ବାଚସ୍ପତି ତାହା ଗ୍ରହଣ କରିବା ପରେ ଅଭିଜିତଙ୍କ ଉପରେ ବର୍ଷିଥିଲେ ଜଣକ ପରେ ଜଣେ ନେତା । ତାଙ୍କୁ ହେଲିକପ୍ଟରରେ ଓଡ଼ିଶା ବୁଲାଇଥିବା ବୈଜୟନ୍ତ ପଣ୍ଡାଙ୍କ ଆଡ଼କୁ ନିଶାନା ସାଧିଥିଲେ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ।

୨୦୧୭ରେ ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ ଆୟାର୍ ମିତ୍ର । ଓଡ଼ିଶାକୁ ବଙ୍ଗାଳୀମାନେ ଆବିଷ୍କାର କରିଛନ୍ତି, ଓରି ଶଳା ଶବ୍ଦରୁ ଓରିଶା ଆସିଛି ବୋଲି କହିଥିଲେ । ପୁଣି ଓଡିଶା ବୋଲି କିଛି ନଥିଲା, ଏହା ବେଙ୍ଗଲର ଦକ୍ଷିଣ ପ୍ରଗଣା ଭାବେ ଗଣାଯାଉଥିଲା । ଜଗନ୍ନାଥ ବଙ୍ଗାଳୀଙ୍କ ଠାକୁର ଏବଂ ଓଡ଼ିଆମାନେ ତାଙ୍କୁ ଚୋରାଇ ଆଣିଥିବା ମଧ୍ୟ କହିଥିଲେ । କିଛିଦିନ ତଳେ କୋଣାର୍କ ମନ୍ଦିର ସାମ୍ନାରେ ଠିଆ ହୋଇ ଭିଡିଓ ସୁଟ୍ କରିଥିଲେ ସେ । ଯେଉଁଥିରେ ସେ କହିଥିଲେ ଯେ, କୋଣାର୍କ ଟେମ୍ପୁଲ୍ ନୁହେଁ ହମ୍ପଲ୍ ଏବଂ ସେଥିରେ ଖୋଦିତ ଚିତ୍ରକଳା ମୁସଲମାନଙ୍କ ଦ୍ବାରା ପ୍ରଭାବିତ । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା ।