ଆଜି ଅଶୋକାଷ୍ଟମୀ: କୋରୋନା ଯୋଗୁଁ ଭଙ୍ଗ ହେଲା ପରମ୍ପରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ । ଆଜିର ଦିନରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଖୁବ୍ ଧୁମଧାମରେ ପାଳନ କରାଯାଏ । ମାତ୍ର ଚଳିତ ବର୍ଷ ଏହି ପରମ୍ପରା ଭଙ୍ଗ ହୋଇଛି । କୋରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଥିବା କାରଣରୁ ଆଜି ଏହି ରଥଯାତ୍ରା ବନ୍ଦ କରାଯାଇଛି ।

ସାରା ଦେଶରେ ମହାମାରର କୋରୋନାକୁ ନେଇ ଚିନ୍ତା । ଜାରି ରହିଛି କଟକଣା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳିକୁ ଏଡାଇବା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି । କିନ୍ତୁ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା । ତେବେ ପ୍ରଶାସନର ଅନୁମତି ମିଳିନଥିବାରୁ ରଥଟଣା ଯିବ ନାହିଁ । ଗତକାଲି ପ୍ରଶାସନ ଅନୁମତି ନଦେବା ପରେ ନେତ୍ର୍ ଉତ୍ସବ ନୀତି ଓ ମରିଚିକୁଣ୍ଡ ପାଣି ନିଲାମ ହୋଇ ନାହିଁ । ଆଉ ଆଜି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ହେଉନଥିବାରୁ ମହା ପରମ୍ପରା ଭଙ୍ଗ ହୋଇଥିବା କୁହାଯାଇଛି ।

କୋରୋନା ସଂକ୍ରମଣ ଏଡାଇବାକୁ ସରକାର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ଉପରେ୍ କଟକଣା ଲଗାଇଛନ୍ତି । ତେବେ ଶ୍ରୀଲିଙ୍ଗରାଜଙ୍କ ରଥ ପ୍ରତିଷ୍ଠା ଓ ରଥଟଣା କାର୍ଯ୍ୟ ୫ ଜଣରେ ସମ୍ଭବ ହୋଇନଥିବାରୁ ରଥ ଟଣାକୁ ଚଳିତ ବର୍ଷ ବନ୍ଦ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ରୁକୁଣା ରଥ ଟଣାକୁ ଅନୁମିତ ଦେଇହେବ ନାହିଁ ବୋଲି ମନ୍ଦିର କା କାର୍ଯ୍ୟ।ଳୟକୁ ଚିଠି ଦେଇଥିଲେ । ଗତକାଲି ଏନେଇ ୪ ନିଯୋଗ ସଭାପତିଙ୍କ ସହ ବିଧାୟକ ସୁର ରାଉତରାୟ ସିପିଙ୍କୁ ଭେଟିଥିଲେ । ହେଲେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ । ଯାହାକୁ ନେଇ ବର୍ତମାନ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।