ଭୁବନେଶ୍ୱର: ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବିରୋଧରେ ପ୍ରମାଣ ଯୋଗାଡୁଛି ଭିଜିଲାନ୍ସ । ଭିଜିଲାନ୍ସ ହାତରେ ମଧ୍ୟ କିଛି ତଥ୍ୟ ମିଳିଥିବା ଜଣାପଡିଛି ।
ଭିଜିଲାନ୍ସକୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଜୟ କେତନଙ୍କ ଏକାଧିକ ବ୍ୟାଙ୍କ ଖାତାରେ ୨୦୧୨ରୁ ୨୦୧୯ ଅର୍ଥାତ୍ ୭ବର୍ଷ ମଧ୍ୟରେ ୭୦ ଲକ୍ଷ ଟଙ୍କା ଜମା ହୋଇଛି। ଏହି ଟଙ୍କା ଉଭୟ ବ୍ୟାଙ୍କ କାଉଂଟର ଓ କ୍ୟାସ ଜମା ମେସିନ ଦ୍ୱାରା କରାଯାଇଛି।
ଭିଜିଲାନ୍ସ ବିଭାଗ ତରଫରୁ ବିଜୟ କେତନଙ୍କ ବ୍ୟାଙ୍କ ଆକାଉଂଟ ଯାଂଚ କରାଯିବା ପରେ ଏହି ତଥ୍ୟ ପଦାକୁ ଆସିଥିବା ଜଣାପଡ଼ିଛି। ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବା ବେଳେ ୨୨ ଲକ୍ଷ ଟଙ୍କା ଜମା ହୋଇଛି। ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ଯେ, ଗୋଟିଏ ଦିନରେ ବିଜୟଙ୍କ ଖାତାରେ ଏକାଧିକ ଥର ଟଙ୍କା ଜମା ହୋଇଛି। ବିଜୟ କେତନ ସେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ କରିଥିବା ନିବେଶ ନେଇ ଯାଂଚ ଚାଲିଛି।
ସୂଚନାଯୋଗ୍ୟ, ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିବା ପରେ ୨୦୦୯ ବ୍ୟାର ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ସରକାର ନିଲମ୍ବିତ କରିଥିଲେ। ବିଲ୍ ପାସ୍ କରିବା ପାଇଁ ୧ ଲକ୍ଷ ଟଙ୍କାର ଲାଂଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏହା ପରେ ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯାଇଥିଲା। ପରେ ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି କରି ଅଦାଲତ ରାୟ ସ୍ଥଗିତ ରଖିବାରୁ ଜେଲ୍ ଯାଇଛନ୍ତି ଉପାଧ୍ୟାୟ।