ମାନିଲା ଜଙ୍ଗଲ ବିଭାଗ : ଦେବ୍ରିଗଡ଼ରେ ମହାବଳ ବାଘକୁ ହିଁ ହତ୍ୟା କରାଯାଇଛି

ବରଗଡ  :  ବରଗଡ଼ ଦେବ୍ରୀଗଡ଼ ଜଙ୍ଗଲରେ ମୃତ ବାଘ ଏକ ମହାବଳ ବାଘ ବୋଲି ସ୍ପଷ୍ଟ ହୋଇଛି  । ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । କଥା ହେଉଛି ଦେବ୍ରୀଗଡ଼ ଜଙ୍ଗଲରେ ମହାବଳ ବାଘକୁ ହତ୍ୟା କରାଯାଇଥିବା ନେଇ ଭୁବନେଶ୍ବରରୁ ପରିବେଶ ବିତ୍‌ ଯାଇ ସ୍ପଷ୍ଟ କରିଥିଲେ । ଆଉ ସେତେବେଳେ ଭୁବନେଶ୍ବରରୁ ରହି ମନ୍ତ୍ରୀ ବି କହିଥିଲେ ଯେ ଏହା କଲରାପତରିଆ ବାଘ ବୋଲି।

ଶେଷରେ ମାନିଲା ଜଙ୍ଗଲ ବିଭାଗ। ଦେବ୍ରିଗଡ଼ରେ ମହାବଳ ବାଘକୁ ହିଁ ହତ୍ୟା କରାଯାଇଛି । ବାଘ ହତ୍ୟା ଘଟଣାରେ ୪ ଜଣଙ୍କୁ ଅଟକ ରଖାଯିବା ପରେ ସେମାନଙ୍କୁ ନେଇ ଚାଲିଥିଲା ତନାଘନା। ଆଉ ସେମାନଙ୍କ ସ୍ବୀକାର ଅନୁଯାୟୀ ଏହା ସ୍ପଷ୍ଟ ହୋଇଛି ମୃତ ବାଘ ମହାବଳ ବାଘ। ଦେବ୍ରୀଗଡ଼ ପାଖ ଖଜୁରିଆ ଗାଁରୁ ଏମାନଙ୍କୁ ଗିରଫ କରିଛି ବନ ବିଭାଗ । ଏମାନେ ହେଲେ ସତ୍ୟବାନ ସାହୁ, ଗୌରୀ ମିର୍ଜା, ସୁଶୀଲ ଭୋଇ ଓ ଜାକିରିଆ ଟୁଡୁ । ଗିରଫ ବ୍ୟକ୍ତିଙ୍କ ଠାରୁ ବନ ବିଭାଗ ବାଘ ପଞ୍ଝା, ୭ଟି ନିଶ ଓ ଛାଲ ଜବତ କରିଛି ।

ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଏଥିସହିତ ବାଘର ଦେହାବଶେଷକୁ ଡେରାଡୁନ ପରୀକ୍ଷାଗାର ପଠାଯାଇଛି। ସେହିପରି କମଗାଁ ବନଖଣ୍ଡ ରେଞ୍ଜ ୱାଇଲ୍ଡ ଲାଇଫ ଡିଏଫଓ ସୁଦୀପ ନାୟକଙଅକୁ ବଦଳି କରାଯାଇଛି। ଏଥିସହିଚ ଜାତୀୟ ବ୍ୟାଘ୍ର ସଂଗ୍ରକ୍ଷଣ କର୍ତ୍ତୃପକ୍ଷର ଟିମ୍‌ ମଧ୍ୟ ବରଗଡ଼ ଆସୁଛନ୍ତି ଘଟଣାର ଅନୁଧ୍ୟାନ ପାଇଁ

ଦେବ୍ରୀଗଡ଼ ଜଙ୍ଗଲରେ ବାଘ ମୃତ୍ୟୁକୁ ନେଇ ବେଶ ତମ୍ବିତୋଫାନ ହୋଇଥିଲା। ଭୁବନେଶ୍ବରରୁ କିଛି ପରିବେଶବିତ ଏ ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବାଘ ମୃତଦେହର ଅବଶିଷ୍ଟାଂଶକୁ ଜବ କରାଯାଇଥିଲା। ଆଉ ସେତେବେଳେ ବନ ବିଭାଗ କଥାକୁ ବାଁରେଇବାରେ ଲାଗିଥିଲା। ଖାଲି ବିଭାଗର କର୍ମଚାରୀ କାହିଁକି ଖୋଦ ପରିବେଶ ମନ୍ତ୍ରୀ ସାମ୍ନାକୁ ଆସି କହିଥିଲେ ଯେ ସନ୍ଦେହ କରାଯାଉଛି ଏହା ଏକ କଲରାପତରିଆ ବାଘ। ପ୍ରଶ୍ନ ଉଠୁଛି ଭୁବନେଶ୍ବରରୁ ପରିବେଶ ବିତ୍‌ ଯଦି ବରଗଡ଼ରେ ବାଘ ହତ୍ୟା ସଂପର୍କରେ ଜାଣିପାରିଲେ, ପରିବେଶ ମନ୍ତ୍ରୀ କାହିଁକି କାହା ସ୍ବାର୍ଥରେ କଥାକୁ ଚାପିବାକୁ ଚାହୁଁଥିଲେ।