ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ

ଭୁବନେଶ୍ୱର  : ବାଘ ଶୂନ୍ୟ ହୋଇଥିବା ସାତକୋଶିଆରେ ବାଘ । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଗୋଟିଏ ବାଘ ଓଡ଼ିଶାର ସାତକୋଶିଆ ଅଭୟାରଣ୍ୟକୁ ଆସିଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାଘଟିକୁ ଅଭୟାରଣ୍ୟରେ ଛଡ଼ାଯିବ। ଆଗକୁ ଆଉ ୫ଟି ବାଘ ଅଣାଯିବାର ପ୍ରସ୍ତାବ ରହିଛି । ବୁଧବାର ବିଳମ୍ବିତ ରାତ୍ରିରେ ଏହି ବାଘଟି ଓଡ଼ିଶାରେ ପହଂଚିଛି । ଟ୍ରାଙ୍କୁ ଲାଇଜ କରି ଧରାଯିବା ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ ତାକୁ ମଧ୍ୟପ୍ରଦେଶରୁ ଓଡ଼ିଶା ଅଣାଯାଇଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ଜାତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ମିଳିତ ଭାବେ ସହଯୋଗର ହାତ ବଢାଇ ଦେଇଛନ୍ତି ।

ପରିବେଶ ସନ୍ତୁଳନ ପାଇଁ ବନବିଭାଗ ଏହି ପଦକ୍ଷେପ ନେଇଛି । ସତକୋଶିଆକୁ ତିନିଟି ପର୍ଯ୍ୟାୟରେ ୬ଟି ମହାବଳ ବାଘକୁ ଅଣାଯିବ। ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ସାତକୋଶିଆକୁ ଗୋଟିଏ ମହାବଳ ବାଘକୁ ଅଣାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ୫ଟି ମହାବଳ ବାଘ ଅଣାଯିବାର ଯୋଜନା ରହିଛି। ଏପରି କି କେଉଁ ବାଘକୁ କେଉଁଠାରେ ଛଡାଯିବ ତାହାର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମ ମହାବଳକୁ ସାତକୋଶିଆ ବନଖଣ୍ଡର ରାଇଗୁଡ଼ା ରେଞ୍ଜରେ ଛଡ଼ାଯିବାର ନିଷ୍ପତ୍ତି ହୋଇଛି।

ମହାବଳ ବାଘଙ୍କୁ ଛାଡ଼ିବା ପାଇଁ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ବୈଷୟିକ ସହାୟତା ବାବଦକୁ ଓ୍ଵାଇଲଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପ୍ରାୟ୫/୬ କୋଟି ଟଙ୍କା ନେବ। ଏହା ସହ ଜଙ୍ଗଲରେ ବାଘମାନଙ୍କୁ ସାଟେଲାଇଟ୍‌ରେ ମନିଟରିଂ କରାଯିବ।