ରାଉଲକେଲାକୁ ଅଧିକ ୨୦ଜଣ ଡାକ୍ତର ପଠାଯିବ ; ଜନସମ୍ପର୍କ ଅଭିଯାନ ପାଇଁ ନିର୍ଦ୍ଦେଶ

ମୁଖ୍ୟ ଶାସନ ସଚିବଙ୍କ ରାଉଲକେଲାରେ କୋଭିଡ ସ୍ଥିତି ସମୀକ୍ଷା

ରାଉଲକେଲା: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ରାଉଲକେଲା ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ଶ୍ରୀ ତ୍ରିପାଠୀ ହାଇଟେକ୍ ହସ୍ପିଟାଲ, ଗୟ ପ୍ରକାଶ ହସ୍ପିଟାଲ ଏବଂ ଶାନ୍ତି ସ୍ମାରକୀ ହସ୍ପିଟାଲ ପରିଦର୍ଶନ କରି ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।

ସମୀକ୍ଷା ପରେ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ବର୍ତମାନ ପର୍ଯ୍ୟନ୍ତ ସନ୍ତୋଷ ଜନକ ଭାବେ କୋଭିଡ ପରିଚାଳନା କରିଛନ୍ତି ।

ଜିଲ୍ଲାରେ କରୋନା ପଜିଟିଭ ହାର ୧% ରହିଛି । ବର୍ତମାନ ଜିଲ୍ଲାରେ ୨ଟି ଆଇସିୟୁ କାର୍ଯ୍ୟ କରୁଛି । ଖୁବଶୀଘ୍ର ଆଉ ଗୋଟିଏ ଆଇସିୟୁ ପ୍ରତିଷ୍ଠା କରାଯିବ ।

ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଥିଲେ, ଖୁବଶୀଘ୍ର ରାଉଲକେଲାକୁ ଅଧିକ ୨୦ଜଣ ଡାକ୍ତର ପଠାଯିବ । ଦିନେ ଦୁଇଦିନ ମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗ ଦେବେ ।

କୋଭିଡ ନିରାକରଣ, ଘରକୁ ଘର ସର୍ଭେ ଏବଂ ବ୍ୟାପକ ସଚେତନତା ନିମନ୍ତେ ଜନ ପ୍ରତିନିଧି, ଜନ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସାମିଲ କରି ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ରାଉଲକେଲା ପୌର ନିଗମକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଶୁକ୍ରବାରଠାରୁ ଏହି ଅଭିଯାନ ଆରମ୍ଭ ହେବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ, ବର୍ତମାନ ରାଉଲକେଲାରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟ କରୁଛି । ଗତମାସରେ ଆରଏମଆରସି ତରଫରୁ କରାଯାଇଥିବା ସେରୋଲୋଜିକାଲ ସର୍ଭେରୁ ଜଣାପଡିଛି ଯେ ରାଉଲକେଲା ସହରର ୨୫% ଲୋକଙ୍କ ଶରୀରରେ କୋଭିଡ ଆଂଟିବଡି ସୃଷ୍ଟି ହୋଇଛି । ଏହା ଏକ ଶୁଭ ସୂଚନା ।

ଜିଲ୍ଲାର ବିଭିନ୍ନ ପଂଚାୟତରେ ୨୯୭ଟି କୋଭିଡ କେୟାର ସେଂଟର ଖୋଲାଯାଇଥିଲା । ସେସବୁରେ ଥିବା ଲୋକେ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଅଧିକାଂଶ ସେଂଟର ଖାଲି ହୋଇଛି । ସେଠାରେ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ଷ୍ଟାପଙ୍କୁ ରାଉଲକେଲାର କୋଭିଡ ହସ୍ପିଟାଲରେ ମୁତୟନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସୁନ୍ଦରଗଡର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱନେ, ରାଉଲକେଲା ପୌର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ସମୀକ୍ଷା ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।