ବର ବାହା ହେବାକୁ ଆସିବା ପୂର୍ବରୁ ପ୍ରଥମେ ୧୪ଦିନ ରହିବେ କ୍ୱାରେଣ୍ଟାଇନ୍‌ରେ

ରାଉରକେଲା: ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ଲୋକେ ରାଉରକେଲା ଆସିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ ବୋଲି ଗତକାଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଏହା ବାଧ୍ୟତାମୂଳକ ବୋଲି ସେ କହିଥିଲେ। ଆଜି ସେ କହିଛନ୍ତି ଯେ ଏହି ସବୁ ଜିଲ୍ଲାଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି ୫ ଘଣ୍ଟା ପାଇଁ ଗଲେ ବି ଫେରିଲା ପରେ କ୍ୱାରେଣ୍ଟାଇନ୍‌ରେ ରହିବେ। ରେଜିଷ୍ଟ୍ରେସନ ପରେ ସେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବେ। ସେହିପରି ବାହାର ଜିଲ୍ଲାରୁ ୭୨ ଘଣ୍ଟା ପାଇଁ ରାଉରକେଲା ଆସିଲେ କ୍ୱାରେଣ୍ଟାଇନ୍ ଅନାବଶ୍ୟକ। ତେବେ ବାହାର ଜିଲ୍ଲାରୁ ଆସୁଥିବା ଲୋକେ କାହା ସହ ନମିଶି ନିଜ କାମ ସାରି ଫେରିପାରିବେ।

ସେ ପୁଣି କହିଛନ୍ତି ଯେ ଯଦି କୌଣସି ଲୋକ ହୋମ୍‌ କ୍ୱରେଣ୍ଟାଇନରେ ରହିବାକୁ ସୁବିଧା ଥିବ, ତାହାହେଲେ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ନ ରହି ହୋମ କ୍ୱାରେଣ୍ଟାଇନରେ ରହିପାରିବେ।