ସ୍ଥିତି ସମୀକ୍ଷା କଲେ 5T ସଚିବ : ଏପ୍ରିଲରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ୍ ହକି‌ ଷ୍ଟାଡିୟମ ନିର୍ମାଣ କାମ

ରାଉରକେଲା : ଏପ୍ରିଲରୁ ଆରମ୍ଭ ହେବ ଷ୍ଟାଡିୟମ ନିର୍ମାଣ କାମ । ରାଉରକେଲା ସହରରେ ଦେଶର ସର୍ବ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ ହେବ । ଏହାର କାମ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ । ଆଉ ସବୁଠାରୁ ବଡ଼ କଥା ହେଲା ମାତ୍ର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସ୍ଥିର ହୋଇଛି । ୧୦ରୁ ୧୫ ଏକର ଜମିରେ ଏହି ହକି ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଉରକେଲା ଗସ୍ତ ଅବସରରେ ସୁଚନା ଦେଇଛନ୍ତି ।


ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା କରିସାରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିପିୟୁଟି ପରିସରରେ ଥିବା ଜମିରେ ଏହା ନିର୍ମାଣ ହେବ ବୋଲି ସ୍ଥିର ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି. କେ ପାଣ୍ଡିଆନ, ୱାର୍କର୍ସ ସଚିବ କ୍ରୀଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍‌ ଭିନିଲ୍‌ କ୍ରୀଷ୍ଣା ଓ କ୍ରୀଡ଼ା ସଚିବ ଭିସାଲ ଦେବ ଆସି ଜମି ଦେଖିବା ସ୍ଥିତି ସମୀକ୍ଷା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ପରେ ରାଉରକେଲା ସମେତ ସମ୍ବଲପୁର ଜିଲ୍ଳାରେ ଖୁସିର ମାହୋଳ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦିଆଯାଉଛି । ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଅଧିକାଂଶ ହକି ଖେଳାଳି ଆସୁଥିବା ବେଳେ ସେଠାରେ ଷ୍ଟାଡିୟମ ନିର୍ମାଣ ସେମାନଙ୍କୁ ଅଧିକ ଉତ୍ସାହିତ କରିଛି ।

rourkela hockey stadium work starts from april