ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡି. ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରି ହତ୍ୟା ମାମଲାରେ ପୁଲିସ ରୋହିତଙ୍କ ପତ୍ନୀ ଅପୂର୍ବାଙ୍କୁ ଗୁରୁବାର ଗିରଫ କରିଛି। ଗତ ୧୬ ତାରିଖରେ ସନ୍ଦେହଜନକ ଅବସ୍ଥାରେ ରୋହିତଙ୍କ ମୃତଦେହ ମିଳିଥିଲା। ତାଙ୍କୁ ଶ୍ଵାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଏହା ପରେ ପୁଲିସ ତଦନ୍ତ କରିବା ସହ ରୋହିତଙ୍କ ପତ୍ନୀ ସନ୍ଦେହ ଘେରକୁ ଆସିଥିଲେ। ରୋହିତଙ୍କ ମୃତ୍ୟୁ ସମୟରେ ଘରେ ତାଙ୍କ ପତ୍ନୀ ଅପୂର୍ବା ଏବଂ ଭାଇ ସିଦ୍ଧାର୍ଥଙ୍କ ସମେତ ୩ ଜଣ ଘରୋଇ ସହାୟକ ଉପସ୍ଥିତ ଥିଲେ। ତେଣୁ ରୋହିତଙ୍କ ହତ୍ୟାରେ ବାହାର ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ପୋଲିସ ସେମାନଙ୍କୁ ପଚରାଉଚରା ବେଳେ ଜାଣି ପାରିଥିଲା। ବୁଧବାର ସକାଳେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସ ରୋହିତଙ୍କ ପତ୍ନୀଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ରୋହିତ ଜଣେ ଓକିଲ ଥିଲେ। ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଆଇନ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ। ରୋହିତ ଏନଡି ତିୱାରୀଙ୍କୁ ନିଜର ବାପା ବୋଲି ଦାବି କରିଥିଲେ। ଏ ନେଇ ସେ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ କୋର୍ଟ ଉଭୟଙ୍କ ଡିଏନଏ ପରୀକ୍ଷା ପାଇଁ ନିର୍ଦେଶ ଦେଇଥିଲେ। ଡିଏନଏ ପରୀକ୍ଷା ପରେ ରୋହିତଙ୍କ ଦାବିକୁ କୋର୍ଟ ଗ୍ରହଣ କରିବା ସହ ତାଙ୍କୁ ପୁଅ ଭାବେ ଗ୍ରହଣ କରିବାକୁ ଏନଡି ତିୱାରୀଙ୍କୁ ନିର୍ଦେଶ ଦେଇଥିଲେ। ପରେ ୨୦୧୪ରେ ଏନଡି ତିୱାରି ରୋହିତଙ୍କ ମା’ଙ୍କୁ ବିବାହ କରିଥିଲେ।