ବିଦେଶ ଯାଇପାରିବେ ରବର୍ଟ ଭଦ୍ରା: ମିଳିଲା ଅନୁମତି

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଆଜି ଦିଲ୍ଲୀର ଏକ କୋର୍ଟ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିବାରୁ ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଥିଲା। ତେବେ ଶ୍ରୀ ଭଦ୍ରା ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୮ ଯାଏ ବାର୍ସିଲୋନା ଯିବାକୁ ଚାହୁଁଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ଏହାକୁ ଗ୍ରହଣ କରି ଭଦ୍ରାଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ଭଦ୍ରା ବିଦେଶ ଯିବାକୁ ଅନୁମତି ମାଗିଥିଲେ ହେଁ ଏହାକୁ ଇଡି ବିରୋଧ କରିଥିଲା। ଇଡି ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ “ଯଦି ଭଦ୍ରାଙ୍କୁ ସ୍ପେନ୍‌ କିମ୍ବା ୟୁରୋପ ଯିବାକୁ ଅନୁମତି ଦିଆଯାଏ, ତା’ହେଲେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ଏଥିସହ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିପାରନ୍ତି।” ହେଲେ କୋଟଁ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି।

୨୦୦୫ରୁ ୨୦୧୦ ମଧ୍ୟରେ ଭଦ୍ରା ସେଲ କମ୍ପାନୀ ନାଁରେ ଲଣ୍ଡନରେ ୯ଟି ସମ୍ପତ୍ତି କିଣିଥିବା ଇଡି ଜାଣିବାକୁ ପାଇଛି। ଏଥିପାଇଁ ତାଙ୍କ ନାଁରେ ତଦନ୍ତକାରୀ ସଂସ୍ଥା ମନି ଲଣ୍ଡରିଂ ମାମଲା ରୁଜୁ କରିଛି।