ଆଜି କଟକରେ ନବୀନ ଓ ଅମିତ ଶାହାଙ୍କ ରୋଡ-ଶୋ’

କଟକ : ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ଉଭୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଓ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ କଟକଷର ରୋଡ-ଶୋ’ କରିବେ । ଆଜି ସନ୍ଧ୍ୟାରେ ଉଭୟ ନେତା କଟକରେ ପହଞ୍ଚିବା ପରେ ରୋଡ-ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଉଭୟ ନେତାଙ୍କ ଏହି ଗସ୍ତ ସମୟରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ଘଟେ, ତାହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ୩୫ପ୍ଲାଟୁନ୍‍ ଫୋର୍ସ ସହ ୨୫ଜଣ ଅଫିସର ମୁତୟନ ରହିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୪ଟା ୩୦ରେ ନରାଜ ହେଲିପ୍ୟାଡ ନିକଟରୁ ସଡକ ପଥରେ ସେ ସେକ୍ଟର-୧୦ ମଣ୍ଟେଶ୍ବରୀ ଗଡା ନିକଟରୁ ରୋଡ-ଶୋ ଆରମ୍ଭ କରିବେ। ସେକ୍ଟର-୭ ନିକଟରେ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ମୁଖ୍ୟମନ୍ତ୍ରୀ ବସ୍‍ରେ ସତୀଚଉରା, ସେଲଟରଛକ, କନିକାଛକ, ଚଣ୍ଡୀଛକ, ବକ୍ସିବଜାର, ମଣିସାହୁଛକ, ମାତାମଠ, ରିଂରୋଡ, କଲେଜଛକ, ରାଣୀହାଟ, ଦୋଳମୁଣ୍ଡାଇ, ବାଦାମବାଡି, ମଧୁପାଟଣା, ଶିଖରପୁର, ମହାନଦୀବିହାର, ପୋତାପୋଖରୀ, ନୂଆବଜାର, କନ୍ଦରପୁର, ସୋମପୁର, କଇଜଙ୍ଗା, ଅଥାଙ୍ଗ ସେତୁ, ୪୨ମୌଜା, କଳପଡା, ଝିଙ୍କିିରିଆ, ଘାଟକୂଳ ଦେଇ ପ୍ରେସଛକରେ ପହଞ୍ଚିବେ।

ଅନ୍ୟପକ୍ଷରେ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ବିଜେଡି ପ୍ରାର୍ଥୀ ଶ୍ରୀ ସାମନ୍ତରାୟଙ୍କ ସପକ୍ଷରେ ପ୍ରଚାର ପାଇଁ ମଙ୍ଗଳବାର ଓଡ଼ିଶା ଅଲିମ୍ପିକ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଫାଓର ସମ୍ପାଦକ ସଞ୍ଜୟ ବେହେରା, ବିଜେଡିର ଅନ୍ୟତମ ଷ୍ଟାର ପ୍ରଚାରକ ଅରିନ୍ଦମ ରଏ ଓ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା।

ସେହିପରି ଅମିତ ଶାହା ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଗୌରୀଶଙ୍କର ପାର୍କ ନିକଟରୁ ଶୋଭାଯାତ୍ରାରେ ବାହାରି ତିନିକୋଣିଆବଗିଚା, ଦରଘାବଜାର, ଚୌଧୁରୀବଜାର, ନୟାସଡକ, ବାଲୁବଜାର ନିମଚଉଡି, ଚାନ୍ଦିନୀଚୌକ, ମହମ୍ମଦିଆବଜାର, ଶେଖବଜାର ଦେଇ ଚଣ୍ଡୀ ମନ୍ଦିର ନିକଟରେ ପହଞ୍ଚିବେ। ଶାହାଙ୍କ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ବିଜେପି ପ୍ରାର୍ଥୀ ଓ କର୍ମୀ ଦିନ ରାତି ଏକ କରିଦେଇଛନ୍ତି। ଅପରପକ୍ଷରେ ବିଜେପି ମଧ୍ୟ କଟକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କ ବିଜୟ ସଂକଳ୍ପ ଯାତ୍ରାକୁ ସଫଳ କରିବା ପାଇଁ ପ୍ରଚେଷ୍ଟା ଚଳାଇଛି। ବିଜେପି ପ୍ରାର୍ଥୀ ସମୀର ଦେଙ୍କ ନେତୃତ୍ୱରେ ମଙ୍ଗଳବାର ଶତାଧିକ କର୍ମୀ ସହର ପରିକ୍ରମା କରିଥିଲେ।

ତେବେ ଉଭୟ ନେତାଙ୍କ ଗସ୍ତ ଦୃଷ୍ଟିରୁ ପୁଲିସ କମିଶନର, ଉଭୟ ଭୁବନେଶ୍ୱର ଓ କଟକ ଡିସିପି, ଅତିରିକ୍ତ ଡିସିପି, ସମସ୍ତ ଜୋନ୍‍ ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଉଭୟ ନେତାଙ୍କ ରୋଡ-ଶୋ ଦେଖିବା ପାଇଁ ପ୍ରବଳ ଜନସମାଗମ ହେବା ସହିତ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ତଦ୍‍ନୁଯାୟୀ ନିର୍ଦ୍ଧାରିତ ରୁଟରେ କାର୍ଯ୍ୟକ୍ରମ ଆରମ୍ଭର ୧ଘଣ୍ଟା ପୂର୍ବରୁ ୱାନ ୱେ ଟ୍ରାଫିକ୍‍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ଏହି ସମୟରେ ଯାନବାହନ ଚଳାଚଳ ଉପରେ କଟକଣା କରାଯିବା ସହିତ ଅନ୍ୟ ରୁଟରେ ବୁଲି କରି ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ରୋଡ-ଶୋ ଅତିକ୍ରମ କରିବାର ପରେ ଛକଗୁଡିକରେ ଯାନବାହନ ଚଳାଚଳ ଲାଗି ଅନୁମତି ଦିଆଯିବ। ଯାନବାହନ ନିୟନ୍ତ୍ରଣ ପାଇଁ ଅଫିସରଙ୍କ ସହିତ ୮୦ଜଣ ଟ୍ରାଫିକ୍‍ କର୍ମଚାରୀ ମୁତୟନ ରହି ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବେ। ବିଭାଗୀୟ ଏସିପି ଉପସ୍ଥିତ ରହି ଟ୍ରାଫିକ୍‍ ବ୍ୟବସ୍ଥାର ତଦାରଖ କରିବେ।