ଧାନ ବୋଝେଇ ଟ୍ରାକ୍ଟର ମାଡିଗଲା,ସ୍ୱାମୀ, ସ୍ତ୍ରୀ ଓ ଝିଅ ମୃତ

ବେତନଟୀ : ବେତନଟୀ ଥାନା ଅଧିନସ୍ଥ ୧୮ ନମ୍ବର ଜାତୀୟ ରାଜପଥର ପୁରୁଣାପାଣି ଓ ତାରାକୋଠି ମଧ୍ୟରେ ଧାନ ବୋଝେଇ ଟ୍ରାକ୍ଟର ହିରୋ ଏଚିଭରକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାଇକ୍ ଆରୋହୀ ଅକ୍ଷୟ ସିଂ (୩୩), ତାଙ୍କ ସ୍ତ୍ରୀ ଶାନ୍ତି ସିଂ (୨୮) ଓ ସାନ ଝିଅ (୪) । ବଡ଼ ଝିଅ ରଶ୍ମୀରେଖା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ବେତନଟୀ ଡାକ୍ତରଖାନାକୁ ନିଆଯିବା ପରେ ସେଠାରୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଅକ୍ଷୟଙ୍କ ଘର ହେଉଛି ବୈଶିଙ୍ଗା ଥାନା ଅଧୀନ ଦଲଦଲି ଗ୍ରାମରେ । ସେ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଧରି ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଅକ୍ଷୟ ଓ ତାଙ୍କ ସାନ ଝିଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ବେତନଟୀ ଦମକଳ ବାହିନୀର କର୍ମଚାରୀମାନେ ଅକ୍ଷୟଙ୍କ ପତ୍ନୀ ଓ ବଡ଼ଝିଅଙ୍କୁ ନେଇ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପତ୍ନୀ ଶାନ୍ତିଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି । ବେତନଟା ଥାନା ଆଇଆଇସି ଗୋବିନ୍ଦଚନ୍ଦ୍ର ବେହେରା ଘଟଣାର ତଦନ୍ତ କରୁଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ( ସାଙ୍କେତିକ ଫଟୋ )