ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୬ ଗୁରୁତର

ଜଳେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ମେଦିନପୁର ଜିଲ୍ଲାର ଦାନ୍ତୁନ ଥାନା ଅଂଚଳସ୍ଥ ନେକୁରଶୁଣିଠାରେ । ଆହତମାନଙ୍କୁ ଦାନ୍ତୁନଥାନା ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

୪ ମୃତକଙ୍କ ମଧ୍ୟରୁ ତିନିଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ। ତିନି ମୃତକଙ୍କ ନାମ ଜିତେନ୍ଦ୍ର ପଣ୍ଡା, ସୁନୀଲ ପଣ୍ଡା ଓ ବାପି ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ରମାକାନ୍ତ ଦାସ୍‌, ଅମର ଦାସ୍‌, ସୁରେନ୍ଦ୍ର ଦାସ, ମଦନମୋହନ ଦାସ, ଦାମୋଦର ମିଶ୍ର ଓ ଚଇତନ୍ୟ ମିଶ୍ର ରହିଛନ୍ତି।

ସୂଚନାଯୋଗ୍ୟ, ଏହି ସଡ଼କ ଦୁର୍ଘଟଣାରେ ୪ଜଣ ମୃତକ ଓ ୬ଜଣ ଗୁରୁତରଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଓ ଖଇରା ଅଂଚଳରେ ବୋଲି ଜଣାପଡ଼ିଛି। ଏ ସମସ୍ତେ କରୋନାଭାଇରସ୍‌ ସଂକ୍ରମଣ କାରଣରୁ କୋଲକାତାରୁ ଏକ କାର୍‌ରେ ବାଲେଶ୍ୱର ଅଭିମୁଖେ ଚାଲି ଆସୁଥିଲେ। କାରରେ ଘରକୁ ଫେରୁଥିବା ବେଳେ ହଠାତ ସାମ୍ନାକୁ ଏକ ଷଣ୍ଢ ପଶି ଆସିଥିଲା। ଷଣ୍ଢକୁ ବଂଚାଇବାକୁ ଯାଇ କାରଟି ଏକ ଟ୍ୟାଙ୍କର ସହ ପିଟି ହୋଇ ଜାଲେଶ୍ୱରରୁ ପାଖାପାଖି ୨୨କିମି ଦୂରରେ ଥିବାନେକୁରଶୁଣି ଠାରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି।