ଖୁବ୍ ଶୀଘ୍ର ବ୍ରହ୍ମପୁର ଓ ବୁର୍ଲାରେ ଆରମ୍ଭ ହେବ କରୋନା ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ର ନମୁନା ପରୀକ୍ଷା ପାଇଁ ରାଜ୍ୟ ସରାକର କ୍ଷମତା ବଢ଼ାଇ ଚାଲିଛନ୍ତି । ଏଥିପାଇଁ ଭୁବନେଶ୍ୱର କିମ୍ବା କଟକରେ ନୁହେଁ ଏବେ ରାଜ୍ୟର ଅନ୍ୟ ଅଂଚଳରେ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଯାଉଛି । ଆଜି ଦକ୍ଷିଣ ଓଡ଼ିଶାରେ ଏହି ସୁବିଧା ଲାଗି ସବୁଜ ସଂକେତ ମିଳିଛି। ବ୍ରହ୍ମପୁରସ୍ଥିତ ଏମକେସିଜିରେ ପରୀକ୍ଷା ଲାଗି ଆଇସିଏମଆର୍ ଅନୁମତି ଦେଇଛି । ଏଠାରେ ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ। ସେହିପରି ଆସନ୍ତା ୧୫ ତାରିଖରୁ ବୁର୍ଲାସ୍ଥିତ ଭିମସାରରେ ମଧ୍ୟ କରୋନା ପରୀକ୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ।

ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି, ଆରଏମଆରସିରେ ଆଗାମୀ ଦିନରେ ୧୦୦୦ରୁ ଅଧିକ ନମୁନା ପରୀକ୍ଷା କରାଯିବ । ସ୍ଥାନୀୟ ଆରଏମଆରସିରେ ଏଣିକି ଦୈନିକ ୧୦୦୦ରୁ ଅଧିକ କରୋନା ନମୁନା ପରୀକ୍ଷା ହେବ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଆରଏମଆରସିକୁ ଅତ୍ୟାଧୁନିକ ମେସିନ ଆସିଛି । ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ଲାଗିଛନ୍ତି ।

ସଚିବ ଶ୍ରୀ ସିଂହ କହିଛନ୍ତି, ମାର୍ଚ୍ଚ ୫ରେ ପ୍ରଥମେ ଆରଏମଆରସିରେ କରୋନା ପରୀକ୍ଷା କରାଯାଇଥିଲା । ସେଦିନ ୧୦୦ଟି ନମୁନା ପରୀକ୍ଷା କରାଯାଇଥିଲା । ଧୀରେ ଧୀରେ ଏହା ବୃଦ୍ଧି ପାଇ ମାର୍ଚ୍ଚ ୧୬ ବେଳକୁ ପରୀକ୍ଷା କ୍ଷମତା ୩୫୦ରେ ପହଂଚିଥିଲା । ଆଜି (ଏପ୍ରିଲ ୧୦ରେ) ୧୦୦୦ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରୁଛନ୍ତି ।

ସେ କହିଛନ୍ତି ଭୁବନେଶ୍ୱରସ୍ଥିତ ଏମ୍ସରେ ମାର୍ଚ୍ଚ ୨୪ରେ ପ୍ରଥମେ କରୋନା ପରୀକ୍ଷା କରାଯାଇଥିବା ବେଳେ କଟକ ଏସସିବିରେ ମାର୍ଚ୍ଚ ୩୧ରୁ ନମୁନା ପରୀକ୍ଷା କରାଯାଉଛି । ଏମ୍ସରେ ଦିନକୁ ୭୫ଟି ନମୁନା ପରୀକ୍ଷା କରାଯାଉଥିବା ବେଳେ ଏସସିବିରେ ୫୦ଟି ନମୁନା ପରୀକ୍ଷା ହୋଇପାରୁଛି ।

କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ରାଜ୍ୟ ସରକାର ତଥ୍ୟ ଆଧାରରେ ରଣନୀତି ପ୍ରସ୍ତୁତ କରିଛନ୍ତି । ଶ୍ରୀ ସିଂହ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି କହିଛନ୍ତି ଭାରତରେ ୨୦୨୦ ଏପ୍ରିଲ ୯ ପର୍ଯ୍ୟନ୍ତ ୧ ଲକ୍ଷ ୪୪ ହଜାର ୯୧୦ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ପଜିଟିଭ ୬୪୧୨ ଚିହ୍ନଟ ହୋଇଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୩୨୪୯ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛି ୪୮ । ଅର୍ଥାତ ଜାତୀୟ ସ୍ତରରେ ପଜିଟିଭ ହାର ୪.୪୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୧.୪୭ ପ୍ରତିଶତ ।