ବିଜେପୁର ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ବିଜେପୁର:ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛନ୍ତି । ଫଳରେ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ ଚାଲିଥିବା ସସପେନ୍ସର ଅନ୍ତ ଘଟିଛି ।

୨୦୧୮ ମସିହାରୁ ବରଗଡ ଜିଲ୍ଲାର ବିଜେପୁର ରାଜନୈତିକ ଦୃଷ୍ଟି କୋଣରୁ ଚର୍ଚ୍ଚାରେ ରହିଛି । ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁ ଏଠାରେ ଦଳର ଗଡ ରକ୍ଷା କରି ଆସୁଥିଲେ । ତେବେ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ବିଜେଡି ସୁବଳଙ୍କ ପତ୍ନୀ ରୀତାଙ୍କୁ ଦଳରେ ମିଶାଇ ଉପ ନିର୍ବାଚନରେ ପ୍ରାର୍ଥୀ କରିଥିଲା । ସେ ବିଜେଡି ଓ ଅନୁକମ୍ଫାମୂଳକ ଭୋଟ ପାଇ ବିଜୟୀ ମଧ୍ୟ ହୋଇଥିଲେ । କିନ୍ତୁ  ପ୍ରାୟ ୧୪ ମାସ ବିଧାୟକ ରହିବା ପରେ ପୁଣି ସେଠାରେ ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏପରିକି ସେ ଗଂଜାମ ହିଂଜିଳିରୁ ମଧ୍ୟ ବିଧାୟକ ହୋଇଥିଲେ । ତେବେ ତାଙ୍କୁ ବିଜେପୁର ଆସନ ଛାଡିବାକୁ ପଡିଥିଲା । ଫଳରେ ବିଜେପୁରବାସୀ ଆଉ ଏକ ଉପ ନିର୍ବାଚନ ଦେଖିବେ ବୋଲି ସ୍ପଷ୍ଟ ହୋଇଗଲା । ତେବେ ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ରହିଥିଲା । କାରଣ କଂଗ୍ରେସ ଏଠାରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିସାରିଛି ।

ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରୀତାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି । ନବୀନ ନିଜେ ଏନେଇ ଘୋଷଣା କରିଛନ୍ତି । ଏପିରିକି ବିଜେପୁରକୁ ଫୋକସ ଏରିଆ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ଉତ୍କଣ୍ଠା ଲାଗି ରହିଛି । ରୀତା ପୁଣି ବିଜେପୁରବାସୀଙ୍କ ମନ ଜିଣିବେ, ପୁଣି ଅନୁକମ୍ଫାମୂଳକ ଭୋଟ କାମ କରିବ ନା ବିଜେପି ବାଜି ମାରିବ ତାହା ଗଣତି ପରେ ଜଣାପଡିବ ।