ମଧ୍ୟପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚର ଆଇପିଏସ୍ ଅଫିସର
ଭୁବନେଶ୍ବର : ଋଷି କୁମାର ଶୁକ୍ଲା ହେଲେ ସିବିଆଇ ନୂଆ ନିର୍ଦ୍ଦେଶକ । ୧୯୮୩ ବ୍ୟାଚ୍ର ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ହେବେ ନୂଆ ସିବିଆଇ ବସ୍ । ଋଷିଙ୍କ ନାଁରେ ସିଲେକ୍ସନ କମିଟି ମୋହର ମାରିଛି । ଦେଶର ସର୍ବବୃହତ ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା ବଜାୟ ରଖିବା ଋଷିଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ହେବ ।
ପ୍ରତୀକ୍ଷାର ଅନ୍ତ । ରିଷି କୁମାର ଶୁକ୍ଳା ହେଲେ ଦେଶର ନୂଆ ସିବିଆଇ ମୁଖ୍ୟ। ମଧ୍ୟପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚର ଆଇପିଏସ୍ ଅଫିସର ଋଷିଙ୍କ ନାଁରେ ମୋହର ମାରିଛି ସିଲେକ୍ସନ କମିଟି । ଏ ନେଇ କାର୍ମିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଋଷି ମଧ୍ୟପ୍ରଦେଶର ଡିଜିପି ଥିଲେ । ସେ ଦୁଇ ବର୍ଷ ପାଇଁ ସିବିଆଇ ମୁଖ୍ୟ ପଦବୀରେ ରହିବେ । କାର୍ୟ୍ୟନକାରୀ ସିବିଆଇ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ସିବିିଆଇ ମୁଖ୍ୟ ପଦ ପାଇଁ ରେସ୍ରେ ଥିଲେ ପ୍ରାୟ ୩୦ ଜଣ ବରିଷ୍ଠ ଅଧିକାରୀ । ଦୀର୍ଘ ଦିନ ଧରି ସିବିଆଇରେ ବିବାଦ ଲାଗି ରହିଥିବାରୁ ଋଷିଙ୍କ ପାଇଁ ଅଗଷ୍ଟା-ୱେଷ୍ଟଲ୍ୟାଣ୍ଡ, ଟୁ-ଜି, କୋଲ ସ୍କାମ ଓ ବ୍ୟାଙ୍କ ଠକେଇ ତଦନ୍ତ ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।
ସିବିଆଇ ବନାମ ସିବିଆଇ ନେଇ ସାରା ଦେଶରେ ଚହଳ ପଡ଼ିଥିଲା ।ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସେତେବେଳର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଏହାପରେ ଗତବର୍ଷ ଅକ୍ଟୋବର ୨୩ରେ ସିଭିସିଙ୍କ ସୁପାରିଶରେ କେନ୍ଦ୍ର ସରାକର ରାତି ଅଧିଆ ନିଷ୍ପତ୍ତି ନେଲେ । ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଯାଇଥିଲା। ଏହାକୁ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜାନୁଆରୀ ୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତିକୁ ରଦ୍ଦ କରିଥିଲେ । ଗତ ୧୦ ତାରିଖରେ ସିଲେକ୍ସନ କମିଟି ବୈଠକରେ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇଥିଲା। ଏହାପରେ ଏମ୍ ନାଗେଶ୍ୱର ରାଓ ଅନ୍ତରୀଣ ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି ।