୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିସ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ଗୁରୁବାର ସୁନ୍ଦରଗଡ ଓ ନୟାଗଡର ୪ଟି ବୁଥରେ ଦେଖାଯାଇଥିବା ଇଭିଏମ ତ୍ରୁଟି ମନୁଷ୍ୟକୃତ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏହି ବୁଥ୍ ଗୁଡିକରେ ଇଭିଏମ୍ ତ୍ରୁଟିକୁ ନେଇ ଭୋଟ ଗ୍ରହଣ ବନ୍ଦ ହେବା ପରେ ଭୁବନେଶ୍ୱରଠାରେ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସୁନ୍ଦରଗଡ ବିଧାନସଭାର ୨୧୩ ନମ୍ବର ବୁଥ୍, ବଣାଇ ବିଧାନସଭାର ୧୨୯ ନମ୍ବର ବୁଥ୍, ଦଶପଲ୍ଲା ବିଧାନସଭାର ୨୧୦ ଓ ୨୨୨ ନମ୍ବର ବୁଥ୍ ପରିଚାଳନାଗତ ତ୍ରୁଟି ଯୋଗୁଁ ମତଦାନ ବନ୍ଦ ରଖାଯାଇଛି । ତେଣୁ ଏହି ୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିସ କରାଯିବ ।

ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ମେସିନରେ ତ୍ରୁଟି ନୁହିଁ ବରଂ ମନୁଷ୍ୟକୃତ ତ୍ରୁଟି ଯୋଗୁଁ ନିର୍ବାଚନ ବାତିଲ କରାଯାଇଛି । ପ୍ରଥମେ ମେସିନରେ ତ୍ରୁଟି ଦେଖିବାକୁ ମିଳିଥିଲା। କିନ୍ତୁ ନିର୍ବାଚନ ଅଧିକାରୀ ଏହାକୁ ବଦଳାଇବାରେ ଭୁଲି କରିଥିଲେ । ବିଧାନସଭା ମେସିନ ସ୍ଥାନରେ ଲୋକସଭା ମେସିନ ଏବଂ ଲୋକସଭା ମେସିନ ସ୍ଥାନରେ ବିଧାନସଭା ମେସିନକୁ ନିର୍ବାଚନ ଅଧିକାରୀ ଲଗାଇଥିଲେ । ମନୁଷ୍ୟକୃତ ତ୍ରୁଟି ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଇଓ କହିଛନ୍ତି ।