ରାଜ୍ୟ ସରକାରଙ୍କର ନିଷ୍ପତ୍ତି: ଏପ୍ରିଲ୧ରୁ ଘଣ୍ଟାଏରେ ମିଳିବ ଜମି ପଟ୍ଟା

୧୦ରେ ମୋ ସରକାର ଅଧିନକୁ ଆସିବ ରାଜସ୍ୱ ବିଭାଗ

ଭୁବନେଶ୍ୱର : ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆସନ୍ତା ଏପ୍ରିଲ ପହିଲାରୁ ମାତ୍ର ଏକ ଘଣ୍ଟା ମଧ୍ୟରେ ଜମିର ପଟ୍ଟା ମିଳିବ । ଜମି ରେଜଷ୍ଟେସନ ଦିନ ହିଁ ସବୁ ଜମିବାଡ଼ି କାଗଜପତ୍ର ମିଳିପାରିବ । ସବରେଜିଷ୍ଟ୍ରାର ଅଫିସରେ ପଂଜିକରଣ ପରେ ସେହିଦିନ ଅପରାହ୍ଣରେ ମିଳିବ ସବୁତଥ୍ୟ । ଏ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜସ୍ୱ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଫେବ୍ରୁଆରି ୧୦ରେ ମୋ ସରକାର ଅଧିନକୁ ଆସିବ ରାଜସ୍ୱ ବିଭାଗ । ଏଥିପାଇଁ ତହସିଲ ଗୁଡିକରେ ପଡି ରହିଥିବା ସବୁ ଜମି ଜମା ମାଲଲାକୁ ତୁରନ୍ତ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଫେବୃଆରୀ ୫ ତାରିଖ ସୁଦ୍ଧା ସବୁ ଫାଇଲ କ୍ଲୋଜ କରିବାକୁ କୁହାଯାଇଛି । ବାକି କାମ ସାରିବାକୁ ତଦସିଲ ଗୁଡିକର ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ହେଲେ ଜମି ଜମା କାଗଜପତ୍ର ଲାଗି ଜମି ମାଲିକଙ୍କୁ ଆଉ ବାରମ୍ବାର ତହସିଲ ଅଫିସକୁ ଦୈଡିବାକୁ ପଡିବନି । ସେହିପରି ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେମାନଙ୍କ ନାଁରେ ଜମି ନାହିଁ । ଯୁକ୍ତ ଦୁଇ, ଯୁକ୍ତ ତିନି କଲେଜ ନିଜ ନାଁରେ ଜମି କରାଇବା ପାଇଁ ତହସିଲଦାରଙ୍କ ପାଖରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ପୂର୍ବରୁ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ମଧ୍ୟ ଲଂଚ ହୋଇସାରିଛ । ଯାହା ପାଉତି ଆପ୍ ନାଁରେ ପରିଚିତ । ଏହି ଆପ ଜରିଆରେ ଲୋକେ ଆଉ ଖଜଣା ଦେବାକୁ କୌଣସି ସମସ୍ୟାର ସମ୍ମୁଖନ ହେବାକୁ ପଡିବ ନାହିଁ । କାହିକି ନା ଏହି କାମକୁ ଆପଣ ଘରେ ବସି ମୋବାଇଲ ଜରିଆରେ ପାଉତି କାଟିପାରିବେ । ସେହିଭଳି ଏହି ଆପ୍ ଜରିଆରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ମିଳି ପାରିବ । ଇ-ସାର୍ଟିଫିକେଟ୍ ସେବାକୁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି । ଇଡିଷ୍ଟ୍ରିକ୍ଟ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ୱେବସାଇଟ୍ ଜରିଆରେ ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥାଇ ନିଜର ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର ଅତି ସହଜରେ ପାଇପାରିବେ । ଏଥି ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଆବେଦନକାରୀ ତାଙ୍କର ନିଜସ୍ୱ ଘୋଷଣା ଆଧାରରେ ଏହି ସବୁ ପ୍ରମାଣପତ୍ର ପାଇପାରିବେ । କେବଳ ମାତ୍ର ଜାତିଗତ ପ୍ରମାଣପତ୍ର ଏହି ପ୍ରଣାଳୀରେ ଉପଲବ୍ଧ ହେବ ନାହିଁ । ଜାତିଗତ ପ୍ରମାଣପତ୍ର ପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା ସେହି ବ୍ୟବସ୍ଥାରେ ହିଁ ଜଣକୁ ଜାତିଗତ ପ୍ରମାଣପତ୍ର ମିଳିପାରିବ । ରାଜସ୍ୱ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତର୍ନ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଏଭଳି ଅନେକ ଜନହୀତକାରୀ ବ୍ୟବସ୍ଥା ମାନ ଆରମ୍ଭ କରିଚାଲିଛନ୍ତି । ଏହାଦ୍ୱାରା ଜମିଜମା ଖଜଣା ପ୍ରଦାନ କରି ପାଉତି ପୈଠ କରିବା ସହ ଏହା ବାହାରେ ଥିବା କାଗଜପତ୍ର କାମ ମଧ୍ୟ କରିପାରିବେ ।