ଲୋକସଭାରେ ଜମ୍ମୁ-କଶ୍ମୀର ବିଭାଜନ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍‌ ସପକ୍ଷରେ ୩୬୭ ଭୋଟ ପଡ଼ିଥିବା ବିପକ୍ଷରେ ୬୭ଟି ଭୋଟ ପଡ଼ିଛି। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଚୟ ହାସଲ କରିବେ।

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌କୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଉପସ୍ଥାପିତ କରିଥିଲେ। ଏହାକୁ ନେଇ ଦିନ ତମାମ ବିତର୍କ ହୋଇଥିଲା। ବିଲ୍‌କୁ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ବିରୋଧ କରିଥିଲେ। ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦେଇଥିଲେ। ଏହାପରେ ବାଚସ୍ପତି ଓମ ବିର୍ଲା ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ।
ସେହିପରି ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ ପାଇଁ ଆଗତ ସଂକଳ୍ପ ମଧ୍ୟ ଲୋକସଭାରେ ପାସ୍‌ ହୋଇଛି। ଏହାବାଦ୍‌ ଜମ୍ମୁ-କଶ୍ମୀର ସଂରକ୍ଷଣ ବିଲ୍‌ ମଧ୍ୟ ଲୋକସଭାରେ ପାସ୍‌ ହୋଇଛି।