ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବା ପରେ ଧାରଣାରୁ ଓହରିଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସର ରେସିଡେଣ୍ଟ ଡାକ୍ତରମାନେ ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି । ସୂଚନାଯୋଗ୍ୟ ଯେ ଡାକ୍ତରମାନେ ଏନଏମସି ବିଲର ବିରୋଧ କରି ୩ ଦିନ ଧରି ଧାରଣା ଦେଇଥିଲ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହା ପୂର୍ବରୁ ରବିବାର ଦିନ ଧାରଣାରତ ଡାକ୍ତରଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ ଯେ ଡାକ୍ତରମାନେ ଅତିଶୀଘ୍ର କାମରେ ଯୋଗଦେବେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରେସିଡେଣ୍ଟ ଡାକ୍ତରଙ୍କ ସଂଘର ପ୍ରତିନିଧିମାନଙ୍କ ସହ ନିଜ ବାସ ଭବନରେ ସାକ୍ଷାତ କରିଥିଲେ । ବୈଠକ ପରେ ସେ କହିଥିଲେ ଯେ ଏନଏମସି ବିଲକୁ ନେଇ ଡାକ୍ତରମାନଙ୍କ ଥିବା ଆଂଶକାର ସମଧାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏମ୍ସର ଆରଡିଏ ପ୍ରତିନିଧି ମଣ୍ଡଳ ସହ ନିଜ ବାସଭବନରେ ସାକ୍ଷାତ କରି ଏନଏମସି ବିଧେୟକ ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିବ ଯାହା ୧୩୦ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବାକୁ ଭଲ କରିବା ଦିଗରେ ବରଦାନ ସାବ୍ୟସ୍ତ ହେବ ।

ଏହାପରେ ଆରଡିଏ ବୟାନ ଜାରି କରି ଧାରଣା ପତ୍ୟାହାର ନେବାର ଘୋଷଣା କରିଥିଲା । ଅନ୍ୟପଟେ  ଏମ୍ସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଅଗଷ୍ଟ ୧ରୁ ୩ ଦିଆଯାଇଥିବା ଧାରଣା ସାମିଲ ଥିବା ଡାକ୍ତରମାନଙ୍କୁ ଅନ ଡିୟୁଟି ଧରାଯିବ ଯାହାର ଆଶ୍ୱସନା ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ବିଧେୟକରେ ୩.୫ ଲକ୍ଷ ଅଣ ମେଡିଆଲ ଲୋକଙ୍କୁ ଲାଇସେନ୍ସ ଦେଇ ସମସ୍ତ ପ୍ରକାର ମେଡିସିନ ଲେଖିବା ଏବଂ ଚିକିତ୍ସା କରିବା ପାଇଁ ଆଇନଗତ ଅଧିକାର ଦିଆଯାଉଛି, ଯାହାକୁ ଡାକ୍ତରମାନେ ବିରୋଧ କରୁଛନ୍ତି ।