ଫେଲ ମାଗିଲା ୧୦୯ ଘଣ୍ଟାର ଅପରେସନ : ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଖସିପଡିଥିବା ଫତେହବୀର

ପଞ୍ଜାବ : ୧୦୯ ଘଣ୍ଟାର ଅପରେସନ । ପଞ୍ଜାବ ସଙ୍ଗରୁର ଭଗବାନପୁରା ଅଞ୍ଚଳରେ ୧୫୦ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ଶିଶୁ ଉଦ୍ଧାର ହେଲା । ହେଲେ ଜୀବନ ଯୁଦ୍ଧରେ ହାରିଗଲା ଫତେହବୀର। ବାପାମାଆ ଗୋଟିଏ ବୋଲି ପୁଅର ନାଁ ରଖିଥିଲେ...

ପଞ୍ଜାବ : ୧୦୯ ଘଣ୍ଟାର ଅପରେସନ । ପଞ୍ଜାବ ସଙ୍ଗରୁର ଭଗବାନପୁରା ଅଞ୍ଚଳରେ ୧୫୦ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ଶିଶୁ ଉଦ୍ଧାର ହେଲା । ହେଲେ ଜୀବନ ଯୁଦ୍ଧରେ ହାରିଗଲା ଫତେହବୀର।

ବାପାମାଆ ଗୋଟିଏ ବୋଲି ପୁଅର ନାଁ ରଖିଥିଲେ ଫତେହବୀର । ନିଜ ନାଁକୁ ସାର୍ଥକ କରି ୧୦୯ଘଣ୍ଟା କାଳ ମୃତ୍ୟୁ ସହ ଲଢିଛି ୩ବର୍ଷର ଫତେହବୀର । ୧୫୦ଫୁଟ ମାଟି ତଳେ, ବୋରୱେଲର ୯ଇଞ୍ଜ ଅନ୍ଧାରୁଆ ସରୁ ନଳୀ ଭିତରେ ଫଶି ଯାଇଥିଲା । ୫ଦିନ ଧରି ମାରାଥନ ଅପରେସନ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା । ହେଲେ ଶେଷରେ ଚଣ୍ଡିଗଡ ପିଜିଆଇ ହସପିଟାଲରେ୍‌ ଆଖି ବୁଜିଛି ।ଗତକାଲି ଜନ୍ମ ଦିନରେ ଫତେହବୀର ଉଦ୍ଧାର ହେବା ପରେ ସମସ୍ତଙ୍କ ଆଶା ବଢି ଯାଇଥିଲା । ହେଲେ ଆଜି ସମସ୍ତଙ୍କୁ ନିରାଶ କରି ଦେଇଛି ।

ଜୁନ ୬ତାରିଖ। ପଞ୍ଜାବ ସଙ୍ଗରୁର ଭଗବାନପୁରା ଗାଁରେ ଖବର ଖେଳି ଯାଇଥିଲା । ଘର ପାଖ ବୋରୱେଲରେ ଖସି ପଡିଥିଲା ଫତେହବୀର । ୩ବର୍ଷର ଶିଶୁ କେମିତି ଉଦ୍ଧାର ହେବ, ସମସ୍ତଙ୍କ ବୁଦ୍ଧି ବାଟ ହଜି ଯାଇଥିଲା । ଏନ୍‌ଡିଆରଏଫ୍‌ ଏବଂ ସ୍ଥାନୀୟ ପୋଲିସ ଆରମ୍ଭ କରିଥିଲେ ରେସକ୍ୟୁ ଅପରେସନ । ମାତ୍ର ୯ଇଞ୍ଚ ସରୁ ଜାଗାରେ ଚାପିଚୁପି ହୋଇ ରହିଥିଲା ଫତେହବୀର । ୧୫୦ଫୁଟ ତଳେ ପୁଅର ଅବସ୍ଥା ଭାବି ଭାବି ପରିବାରଠୁ ସଂପର୍କୀୟ ସମସ୍ତେ କାନ୍ଦି କାନ୍ଦି ବେହାଲ ହୋଇ ଯାଇଥିଲେ । ଏପଟେ ଉଦ୍ଧାରକାର୍ଯ୍ୟଦଳର ପ୍ରଥମ କାମ ଥିଲା ଫତେହବୀର ପାଖରେ ଖାଦ୍ୟ, ପାଣି ଓ ଅମ୍ଳଜାନ ପହଞ୍ଚାଇବା । ଫତେହବୀର ପାଖରେ ଅମ୍ଲଜାନ ତ ପହଞ୍ଚିପାରିଥିଲା, କିନ୍ତୁ ଏତେ ସରୁ ଗାତ ଯୋଗୁ ଖାଦ୍ୟ ପାଣି ପହଞ୍ଚି ପାରିନଥିଲା ।

ବଡ ବଡ ମେସିନ୍ ଲଗାଇ ବୋରୱେଲ୍ ଗାତ ପାଖରେ ମାଟି ଖୋଳା ଚାଲିଥିଲା । ଦିନ ରାତି ଲାଗିଥିଲେ ଉଦ୍ଧାରକାରୀ ଦଳ । ପ୍ରତିଟି ମୁହୂର୍ତ୍ତ ଥିଲା ଗୁରୁତ୍ବପୂର୍ଣ୍ଣ । ଆର୍ଥ ମୁଭର ଏବଂ ଜେସିବି ମାଟି ଖୋଳୁଥିଲା । ଫତେହବୀର ପାଖରେ ପହଞ୍ଚିବା ଲାଗି ସବୁ ରକମ ଉଦ୍ୟମ ଚାଲିଥିଲା । ସାରା ଇଲାକା ପୋଲିସ ଛାଉଣୀ ପାଲଟି ଯାଇଥିଲା । ଏପଟେ ଏନ୍‌ଡିଆରଏଫ୍ ଅବିରତ ଲାଗିଥିଲା, ସେପଟେ ଫତେହବୀର ଜୀବନ ସଂଗ୍ରାମ ଚଳାଇଥିଲା । ଶେଷରେ ଗତକାଲି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା ଫତେହବୀର । ହେଲେ ଆଜି ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଉଦ୍ଧାର କାର୍ଯ୍ୟରେ ଅବହେଳା ଯୋଗୁ ଫତେହବୀର ଆଖି ବୁଜିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ପଞ୍ଜାବ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଫତେହବୀରର ମୃତ୍ୟୁ ସବୁଠୁ ବଡ ପ୍ରଶ୍ନ ଠିଆ କରିଛି, ବାରମ୍ବାର ଏପରି ଅଘଟଣ ଘଟୁଥିଲେ ବି ବୋରୱେଲ ଗାତ ବନ୍ଦ କରିବା ନେଇ କେବେ ଚେତିବ ସ୍ଥାନୀୟ ପ୍ରଶାସନ ।

Spread the love
Categories
ଦେଶ-ବିଦେଶବଡ ଖବର

RELATED BY