ରେପୋ ରେଟ୍ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ରେପୋ ରେଟ୍ ହ୍ରାସ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) । ପଲିସି ରେପୋ ରେଟ୍ ୭୫ ବେସିସି ପଏଂଟ ହ୍ରାସ କରାଯାଇ ୫.୧୫% ରୁ ୪.୪% କରାଯାଇଛି । ସେହିଭଳି ରଜର୍ଭ ରେପୋ ରେଟ୍ ୯୦ ବେସିସ୍ ପଏଂଟ ହ୍ରାସ କରାଯାଇ ୪% କରାଯାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେହିପରି କୋଭିଡ୍-୧୯ଜନିତ ସଙ୍କଟ ଯୋଗୁଁ ମନିଟାରି ପଲିସି କମିଟିର ବୈଠକ ମାର୍ଚ୍ଚ ୨୫-୨୭କୁ ଘୁଂଚାଇ ଅଣାଯାଇଥିବା କଥା ସେ ଘୋଷଣା କରିଛନ୍ତି । ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ମନିଟାରି ପଲିସ କମିଟି ବୈଠକ ମାର୍ଚ୍ଚ ୩୧ରୁ ଏପ୍ରିଲ ୩ଯାଏଁ ଚାଲିବାକୁ ପୂର୍ବରୁ ସ୍ଥିର କରାଯାଇଥିଲା । କିନ୍ତୁ ସମ୍ପ୍ରତି ଆର୍ଥିକ ଅବନତି ପରସ୍ଥିତି କାରଣରୁ ଆଗୁଆ ବୈଠକ ବସାଇବାକୁ ସ୍ଥିର କରାଯାଇଛି ।

ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଆହୁରି କହିଲେ ଯେ ଏ ସମୟରେ ଅର୍ଥନୀତି ସମ୍ପର୍କରେ କୌଣସି ମତାମତ ଦେବା ଠିକ ହେବ ନାହିଁ । କୋଭିଡ୍-୧୯ ମହାମାରୀ ବିରୋଧରେ ଭାରତର ସଂଗ୍ରାମ ଉପରେ ତାହା ନିର୍ଭର କରୁଛି ।

ଶ୍ରୀ ଦାସ ଆହୁରି କହିଲେ କି, ରିଜର୍ଭ ବ୍ୟାଙ୍କରେ ଅର୍ଥ ବିନିଯୋଗ କରିବା ଏବେ ବ୍ୟାଙ୍କମାନଙ୍କ ପାଇଁ ଫଳପ୍ରଦ ହେବନାହିଁ, ସେମାନେ ଲୋକମାନଙ୍କୁ ଟଙ୍କା ଦେଇ ଦେବା ଉଚିତ । ଦୁଃସ୍ଥିତି ଅଧିକ ଦିନ ରହେନାହିଁ, କେବଳ ମଜଭୁତ ଲୋକ ଏବଂ ମଜଭୁତ ଅନୁଷ୍ଠାନ ତିଷ୍ଠି ରହନ୍ତି ।