ବାଲୁକା କଳାରେ ଅକ୍ଷୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ହେଉଛି ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ । ୫୩ ବର୍ଷରେ ପଦାର୍ପଣ କରିଛନ୍ତି ଲୋକପ୍ରିୟ କଳାକାର ଖିଲାଡି କୁମାର । ଆଜିର ଏହି ଦିନରେ ଖିଲାଡି କୁମାରଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ବାଲୁକା କଳା ମାଧ୍ୟମରେ ନିଆରା ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୂମିରେ ଅକ୍ଷୟ କୁମାରଙ୍କ ପାଇଁ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ଏହି ବାଲୁକାକଳାରେ ଅକ୍ଷୟ କୁମାରଙ୍କ ପ୍ରତିକୃତିକୁ ସ୍ଥାନ ଦେଇଥିବା ବେଳେ ‘ଏ ରୋଲ ମଡେଲ ହିରୋ’ ବାର୍ତ୍ତା ରହିଛି । ଅକ୍ଷୟ କୁମାର ସବୁବେଳେ ନିଜ ଅଭିନୟ ଓ କଳା ମାଧ୍ୟମରେ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥାନ୍ତି ।

ଖାସ ସେଥିପାଇଁ ବଲିଉଡରେ ଖିଲାଡି କୁମାରଙ୍କ ସ୍ଥାନ ସ୍ୱତନ୍ତ୍ର । ହୃଦୟରେ ରାଜ୍‌ କରୁଥିବା ଏହି ଅଭିନେତାଙ୍କ ଆଗାମୀ ଦିନରେ ଆହୁରି ସଫଳ ଓ ଦୀର୍ଘଜୀବୀ ହୁଅନ୍ତୁ ବୋଲି ବାଲୁକାକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।

ତେବେ କିଛି ଲୋକ ଏହାକୁ ଗ୍ରହଣ କରିଥିବା ବେଳେ ଅନେକ ଲୋକ ସୁଦର୍ଶନଙ୍କର ବଲିଉଡ କଳାକାରଙ୍କ ପ୍ରତି ଏହି ଭଲପାଇବାକୁ ଗ୍ରହଣ କରି ପାରିନାହାନ୍ତି । ସୁଦର୍ଶନଙ୍କ ଏହି ଶୁଭେଚ୍ଛା ବାର୍ତ୍ତାରେ ଅନେକ ତାଙ୍କୁ କଟାକ୍ଷ କରିବା ସହ ସେ ବଲିଉଡ଼କୁ ସପୋର୍ଟ କରିଥିବାରୁ ତାଙ୍କୁ ଅନଫଲୋ କରିବାକୁ କହିଛନ୍ତି।