ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପ୍ରସଙ୍ଗ; ଭାବିଚିନ୍ତି ନିଷ୍ପତି ନିଆଯାଇଛି: ମୋଦୀ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପ୍ରସଙ୍ଗ ଭାରତର ନିଜସ୍ୱ ମାମଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ନିଷ୍ପତି ଭାବିଚିନ୍ତି ନିଆ ଯାଇଥିବା ସେ ଏକ ଗଣମାଧ୍ୟମକୁ କହିଛନ୍ତି ।

ଇକୋନୋମିକ୍ସ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ମୋଦୀ କହିଛନ୍ତି ଯେ, ଧାରା ୩୭୦ ହଟାଯିବା ପ୍ରସଙ୍ଗ ଭାରତର ସଂପୂର୍ଣ୍ଣ ନିଜସ୍ୱ ମାମଲା । ଏହି ନିଷ୍ପଚି ତରବରିଆ ଭାବେ ନୁହେଁ ଭାବି ଚିନ୍ତି ନିଆଯାଇଛି । ଏହା ଲୋକଙ୍କ ସୁବିଧାକୁ ନଜରରେ ରଖି କରାଯାଇଛି । 

ନୂଆ କାଶ୍ମୀର ଆହ୍ୱାନକୁ ନେଇ ମୋଦୀ କହିଛନ୍ତି ଯେ ଦୁନିଆର ଆର୍ଥିକ ବିକାଶ ବନ୍ଦ ବାତାବରଣରେ ହୋଇପାରିବ ନାହିଁ । ଉଚିତ ବିଚାର ଓ ଖୋଲା ବଜାରରେ ରାଜ୍ୟର ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ରାଜ୍ୟର ବିକାଶ ହେବ । ଦେଶର ଆୟ ବୃଦ୍ଧି ପାଇବ ।

ଜମ୍ମୁ-କାଶ୍ମୀରରେ ନିବେଶ ବାବଦରେ ସେ କହିଛନ୍ତି ଯେ ଏଥି ପାଇଁ କିଛି ସର୍ତର ଆବଶ୍ୟକତା ରହିଛି । ସ୍ଥିରତା, ବଜାର ଓ ଆଇନକୁ ନେଇ ଏହା କରାଯାଇଥାଏ । ୩୭୦ ହଟାଯିବା ପରେ ନିବେଶ ନିଶ୍ଚିତ ରୂପରେ ବୃଦ୍ଧି ପାଇବ । ଧାରା ୩୭୦କୁ ନେଇ ସରକାରଙ୍କ ନିଷ୍ପତିରେ ପର୍ଯ୍ୟଟନ, କୃଷି, ଆଇଟି, ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ବିକାଶ ହେବ । ସେଠାକାର ଯୁବକଙ୍କୁ ତାଲିମ ଦିଆଯିବ । କୌଶଳ ବିକାଶ ଉପରେ କାର୍ଯ୍ୟ ହେବ ଏବଂ ପୁରସ୍କାର ମଧ୍ୟ ମିଳିବ ।