୬.୧%କୁ ଖସିଲା ଜିଡିପି

ମୁମ୍ବାଇ: ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥନୀତିକ ଅଭିବୃଦ୍ଧି ଆକଳନ ହ୍ରାସ କରିଛି। ଏହା ପୂର୍ବରୁ ୬.୯ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୬.୧କୁ ହ୍ରାସ କରିଛି ଆରବିଆଇ। ୨୦୧୯-୨୦ ବର୍ଷର ଦ୍ୱିତୀୟ ଅର୍ଦ୍ଧେକରେ ଏହା ପୂରଣ ହେବ ବୋଲି ଆଶା କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି କେନ୍ଦ୍ରୀୟ ବ୍ୟାଙ୍କର ଜିଡିପି ଅଭିବୃଦ୍ଧି ଗତ ଜୁନ୍‌ ମାସରେ ୫%କୁ ବା ୬ ବର୍ଷର ସବୁଠାରୁ କମ୍‌ ସ୍ଥିତିକୁ ଚାଲିଆସିଥିଲା। ଘରୋଇ କ୍ଷେତ୍ରରେ ନିବେଶ କମିବା ଯୋଗୁ ଏପରି ହୋଇଥିବା କୁହାଯାଇଥିଲା।

ଏହାପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲାଗାତାର ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା କରିଥିଲେ। ଏ ମଧ୍ୟରେ କର୍ପୋରେଟ୍‌ ଟ୍ୟାକ୍ସରେ ୧୦ ପ୍ରତିଶତ ହ୍ରାସ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାପକ ନିବେଶ ପ୍ରମୁଖ ପଦକ୍ଷେପ ଥିଲା।

ତେବେ ଶୁକ୍ରବାର ରିଲିଜ୍‌ ହୋଇଥିବା ଆର୍ଥିକ ନୀତି ରିପୋର୍ଟରେ କୁହାଯାଇଛି ପ୍ରତି କ୍ୱାର୍ଟରରେ ଅର୍ଥନୀତିକ ପ୍ରଗତି ହେବ। ସରକାର ନେଇଥିବା ପଦକ୍ଷେପ ଏବଂ ଅଣାଯାଇଥିବା ସଂସ୍କାର ଭିତ୍ତିରେ ଏହି ପ୍ରଗତି ହେବ। ଲଗାତାର ରେପୋରେଟ୍‌ ହ୍ରାସ କରାଯିବା ଫଳରେ ସୁଧା ପରିମାଣ ହ୍ରାସ ହେବ ଏବଂ ଘରୋଇ ଉଦ୍ୟୋଗମାନଙ୍କୁ ଏଥିରେ ଫାଇଦା ହେବ ବୋଲି କଳନା କରାଯାଇଛି।

୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ପୁଣି ୭%କୁ ଫେରିବା ନେଇ ଏବେ ଆକଳନ କରାଯାଇଛି। ତେବେ ଜିଡିପି ଅଭିବୃଦ୍ଧି ଆକଳନକୁ ନେଇ ଆରବିଆଇ ପକ୍ଷରୁ କୁହାଯାଇଛି, ନିବେଶ କ୍ଷେତ୍ରରେ କରାଯାଇଥିବା ଆକଳନ ବାସ୍ତବ ରୂପ ନେବା ଆଶଙ୍କା କରାଯାଉଛି। ବିଶ୍ୱ ସ୍ତରରେ ରପ୍ତାନୀ ପ୍ରଭାବିତ ହୋଇଥିବାରୁ ଏହା ଡେରିରେ ସୁଧୁରିବା ନେଇ ଆଶଙ୍କା କରାଯାଇଛି।

ଫେବୃଆରୀ ୨୦୧୯ ପରଠାରୁ ଲଗାତାର ରେପୋରେଟ୍‌ ହ୍ରାସ କରାଯିବା ପରେ ଏହା ପ୍ରଭାବରେ ପ୍ରକୃତ ଜିଡିପି ଆକଳନ ୬.୧ ହେବ ବୋଲି ଆକଳନ କରାଯାଇଛି। କ୍ୱାର୍ଟର ୨ରେ ୫.୩%, କ୍ୱାର୍ଟର ୩ରେ ୬.୬% ଏବଂ କ୍ୱାର୍ଟର ୪ରେ ୭.୨% ରହିବ। ଏଥିରେ କୁହାଯାଇଛି ଗତ ଅଗଷ୍ଟ-ସେପ୍ଟେମ୍ବରରେ ଏଫ୍‌ଡିଆଇ କ୍ଷେତ୍ରରେ ସଂସ୍କାର, ବ୍ୟାଙ୍କ ମିଶ୍ରଣ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବ୍ୟାପକ ନିବେଶ ଜିଡିପି ଅଭିବୃଦ୍ଧି ପାଇଁ ସହାୟକ ହେବ।